ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟ ଝଟକା

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ଙ୍କୁ ଲାଗିଛି ଝଟକା। ୨୦୧୪ ନିର୍ବାଚନ ବେଳେ ଫଡନାଭିସ୍ଙ୍କ ନାଁରେ ଆସିଥିବା ମିଛ ସତ୍ୟପାଠ ଦାଖଲ ମାମଲା ବିଚାର ପାଇଁ ଆଜି ସୁପ୍ରିମକୋର୍ଟ ପଥ ପରିଷ୍କାର କରିଛନ୍ତି। ପୂର୍ବରୁ ଏହି ମାମଲାରେ ଫଡନାଭିସ୍ଙ୍କୁ ତଳ କୋର୍ଟ କ୍ଲିନ୍ଚିଟ୍ ଦେଇଥିଲେ।
ହେଲେ ଏହାକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛି। ଏବେ ପୁଣିଥରେ ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ ହେବ। ୨୦୧୪ ନିର୍ବାଚନ ବେଳେ ଫଡନାଭିସ୍ ଯେଉଁ ସତ୍ୟପାଠ ଦାଖଲ କରିଥିଲେ, ସେଥିରେ ତାଙ୍କ ନାଁରେ ଥିବା ଦୁଇଟି ଅପରାଧିକ ମାମଲା ଉଲ୍ଲେଖ କରି ନଥିବା ଅଭିଯୋଗ ହୋଇଛି।
ଏନେଇ ମୁମ୍ବାଇର ଏକ ଟ୍ରାଏଲ କୋର୍ଟ ଓ ପରେ ବମ୍ବେ ହାଇକୋର୍ଟରେ ଆବେଦନ କରାଯାଇଥିଲା। ତେବେ ଉଭୟ କୋର୍ଟ ଫଡନାଭିସ୍ଙ୍କୁ କ୍ଲିନ୍ଚିଟ୍ ଦେଇଥିଲେ। ସିଜେଆଇ ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି କହିଛନ୍ତି, ଏବେ ଫଡନାଭିସ୍ଙ୍କ ମାମଲା ରିପ୍ରେଜେଣ୍ଟଟେସନ ଅଫ ଦି ପିପୁଲ ଆକ୍ଟ ୧୯୫୧ର ଧାରା ୧୨୫ଏ ଅନୁଯାୟୀ ବିଚାର କରାଯିବ।