ଟ୍ରେନ୍ ଆଗକୁ ଡେଇଁଲେ ମା’ ସହ ଦୁଇ ଝିଅ

ବ୍ରହ୍ମପୁର: ପାରିବାରିକ କଳହର କରୁଣ ପରିଣତି। ସ୍ବାମୀ ଓ ସ୍ତ୍ରୀ ଝଗଡା। ଶେଷରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ମା’ର ମୃତ୍ୟୁ ହୋଇଥିବା ବେଳେ ଦୁଇ ଝିଅ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ ନିକଟ ମଚ୍ଛାକୋଟ୍ ଗାଁରେ।
ମିଳିଥିବା ସୂଚନା ଅନୁସାରେ, ମଚ୍ଛାକୋଟ୍ ଗାଁର ଉତ୍ସବ ଭଞ୍ଜ ଏବଂ ତାଙ୍କ ସ୍ତ୍ରୀ ରମା ଭଞ୍ଜଙ୍କ ମଧ୍ୟରେ ଝଗଡା ହୋଇଥିଲେ। ସ୍ତ୍ରୀ ରମାଙ୍କୁ ତାଙ୍କ ସ୍ବାମୀ ଉତ୍ସବ ମାଡ ମାରିଥିଲେ। ଏଥିରେ ରାଗିଯାଇ ଦୁଇ ଝିଅଙ୍କ ସହ ବ୍ରହ୍ମପୁର ଆସିଥିଲେ ରମା। ଗତକାଲି ରାତିରେ ରମା ଦୁଇ ଝିଅଙ୍କ ସହ ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଫଳରେ ଘଟଣାସ୍ଥଳରେ ରମାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଝିଅ ଗୁରୁତର ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ପାଠ ପଢୁଥିବା ସାନ ଝିଅ ରିୟାଙ୍କ ହାତରେ ଗୁରୁତର ଆଘାତ ଲାଗିଛି। ରିୟାଙ୍କୁ ବ୍ରହ୍ମପୁର ବଡ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଷଷ୍ଠ ଶ୍ରେଣୀରେ ପଢୁଥିବା ବଡ ଝିଅ ପ୍ରିୟାର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ କଟକ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିବା ସଂପର୍କୀୟ କହିଛନ୍ତି। ବ୍ରହ୍ମପୁର ରେଳୱେ ପୋଲିସ ଶବକୁ ଜବତ କରି ପୋଷ୍ଟମର୍ଟମ୍ ପାଇଁ ବ୍ରହ୍ମପୁର ବଡ ମେଡିକାଲ୍କୁ ପଠାଇଛି।