Odisha Link
Bridging the Missing Links in Odisha

ବିଜେପି ଛାଡ଼ିଲେ ଦାମ, ପୁଅ ସମ୍ବିତ କହିଲେ ବାପା…

ଭୁବନେଶ୍ବର: ବେଶ୍‌ ଗତ କିଛି ଦିନ ଧରି ରାଜ୍ୟ ରାଜନୀତିରେ ଯେଉଁ ଚର୍ଚ୍ଚା ଲାଗି ରହିଥିଲା ତାହା ଏବେ ହୋଇଛି। ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ଦଳ ତାଙ୍କୁ ଆଉ ଆବଶ୍ୟକ କରୁ ନଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ଦାମୋଦର ରାଉତ। ସେ ତାଙ୍କ ଇସ୍ତଫାପତ୍ର ଦଳର ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇ ଦେଇଛନ୍ତି। ତେବେ ଦଳ କିମ୍ବା ନେତୃତ୍ୱଙ୍କ ବିରୋଧରେ ତାଙ୍କର ଅଭିଯୋଗ ନାହିଁ ବୋଲି ସେ କହିଛନ୍ତି।

ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ଦାମ ଲେଖିଛନ୍ତି, “ଗତ ସାଧାରଣ ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟିର ଦଳୀୟ କାର୍ଯ୍ୟକ୍ରମ କିମ୍ବା ନୀତି ନିଷ୍ପତ୍ତି ପ୍ରକ୍ରିୟାରେ ମୋ ଉପସ୍ଥିତି ବା ସଂପୃକ୍ତି ଆଦୌ ଆବଶ୍ୟକ ହେଉ ନଥିବା ମୁଁ ଅନୁଭବ କରୁଛି। ଏହା ମୋ ଭିତରେ ଗଭୀର ମାନସିକ ଅସନ୍ତୁଳନ ସୃଷ୍ଟି କରିଛି। ରାଜ୍ୟ ବିଧାନସଭାରେ ୩୫ ବର୍ଷ ବିଧାୟକ ଏବଂ ପ୍ରାୟ ୬ ଥର କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ କାର୍ଯ୍ୟ କଲା ପରେ ଏବେ ମୋର ଅଲୋଡ଼ା ଓ ଅନାବଶ୍ୟକ ସ୍ଥିତି ସକ୍ରିୟ ନିର୍ବାଚନ ରାଜନୀତିରୁ ସଂପୂର୍ଣ୍ଣ ଅବ୍ୟାହତି ନେବା ପାଇଁ ବାଧ୍ୟ କରୁଛି।”

ସେ ଲେଖିଛନ୍ତି, “ପରିଣତ ବୟସରେ ଦଳୀୟ ନିର୍ବାଚନ ରାଜନୀତିରେ ନିଜକୁ ସଂଶ୍ଳିଷ୍ଟ ନକରି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଜଣେ ଉତ୍ସର୍ଗୀକୃତ ଅନୁଗତ ଭାବରେ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ରଚନାତ୍ମକ କାର୍ଯ୍ୟକଳାପରେ ଅବଶିଷ୍ଟ ଜୀବନ ବିତାଇବା ପାଇଁ ମୁଁ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରୁଛି।”

ବରିଷ୍ଟ ରାଜନେତା ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେବା ପରେ ତାଙ୍କ ପୁଅ ଅର୍ଥାତ ବିଜେଡି ବିଧାୟକ ସମ୍ବିତ ରାଉତ ଗଣମାଧ୍ୟମ ଆଗରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବିଜେପିରେ ମିଶିବା ବାପାଙ୍କ ଭୁଲ ନିଷ୍ପତି ଥିଲା । ଏକ ଦୁର୍ବଳ ମୁହୂର୍ତରେ ତାଙ୍କୁ ଡାକିନେଇ ବିଜେପିରେ ମିଶାଯାଇଥିଲା । ସେତେବେଳେ ସେ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବାପା ମାନିନଥିଲେ। ବାପାଙ୍କ ମନପ୍ରାଣ ବିଜୁବାବୁ। ତେଣୁ ସେ ବିଜେପିରେ ସହଜ ମନେକଲେନି । ବିଜେପି ଓ ବିଜେଡ଼ିର ଆଦର୍ଶ ସ୍ୱତନ୍ତ୍ର । ୪୩ ବର୍ଷ ଧରି ଗୋଟିଏ ଆଦର୍ଶରେ ରହି ଅନ୍ୟ ଦଳରେ ଆଡ଼ଜଷ୍ଟ କରିବା କଷ୍ଟକର । ସେଥିପାଇଁ ବାପାଙ୍କ ନିଷ୍ପତିରେ ସେ ଅସନ୍ତୁଷ୍ଟ ଥିଲେ ବୋଲି ସମ୍ବିତ କହିଛନ୍ତି ।

Comments are closed.