Odisha Link
Bridging the Missing Links in Odisha

ସମ୍ କୋଭିଡ଼ ହସ୍ପିଟାଲ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ସମ୍ କୋଭିଡ ହସ୍ପିଟାଲର ଚିକିତ୍ସା ତଥା ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମହାମାରୀକୁ ପ୍ରତିହତ କରିବା ନିମନ୍ତେ ଏହି ହସ୍ପିଟାଲର ଦାୟିତ୍ବରେ ଥିବା ଡାକ୍ତରମାନେ ଯେଉଁଭଳି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ ସଂପାଦନ କରୁଛନ୍ତି ଏଥିରେ ସେ ଖୁବ ପ୍ରଭାବିତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଶେଷ କରି ହସ୍ପିଟାଲ୍ ରେ ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରଦୀପ୍ତ ପାତ୍ର ଓ ଡାକ୍ତର ଈଶ୍ବର ବେହେରାଙ୍କ କର୍ତ୍ତବ୍ୟ ସଂପାଦନାକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଉଭୟ ଡାକ୍ତରଙ୍କୁ ଟେଲିଫୋନ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ।

କରୋନା ମହାମାରୀର ପ୍ରଭାବ ଓଡିଶାରେ ଆରମ୍ଭ ହେବା ପରଠାରୁହିଁ ଆଇଏମଏସ ଓ ସମ୍‌ ହସ୍ପିଟାଲର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଭୁବନେଶ୍ବରରେ ସମ୍‌ କୋଭିଡ ହସ୍ପିଟାଲ ସହିତ କେନ୍ଦ୍ରାପଡ଼ା ତାଳଚେର ଓ ଚାନ୍ଦପୁର ଠାରେ କୋଭିଡ ହସ୍ପିଟାଲ କାର୍ଯ୍ୟ କରୁଛି । ଯେଉଁଠାରେ ଶହଶହ କରୋନା ରୋଗୀ ଚିକିତ୍ସିତ ହୋଇପାରୁଛନ୍ତି।

ସେହିପରି ସମ ତତ୍ତ୍ଵାବଧାନରେ ଭୁବନେଶ୍ୱର ଉପକଣ୍ଠ ଜାମୁଝରୀ ଏବଂ ଜଟଣୀ ଠାରେ କୋଭିଡ କେୟାର ସେଣ୍ଟର କାର୍ଯ୍ୟ କରୁଛି। ଭୁବନେଶ୍ୱର ସମ କୋଭିଡ ହସ୍ପିଟାଲ ରାଜ୍ୟର ବୃହତ୍ତମ ହୋଇଥିବା ବେଳେ ସମ ଅଧିନସ୍ଥ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ ଗୁଡିକରେ ୨୨୦୦ରୁ ଅଧିକ ଶଯ୍ୟା ରହିଛି । ସମ୍ କୋଭିଡ ହସ୍ପିଟାଲର ଉତ୍ସର୍ଗୀକୃତ ସେବା ଯୋଗୁଁ ଅସଂଖ୍ୟ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କରୋନା ପରିଚାଳନା ନିୟମକୁ ଶୃଙ୍ଖଳିତ ଢଙ୍ଗରେ ବିନିଯୋଗ କରି ରୋଗୀଙ୍କ ସେବା କରୁଥିବାରୁ ସମ କୋଭିଡ ହସ୍ପିଟାଲ ଓ ଏହାର ଡାକ୍ତର ମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଶେଷ କରି ଧର୍ଯ୍ୟର ସହ କରୋନା ସଂକ୍ରମିତଙ୍କର ଉତ୍ତମ ସେବା, ଯତ୍ନ ଓ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ଯୋଗୁଁ ରୋଗୀମାନେ ଉପକୃତ ହେଉଥିବା ସେ କହିଛନ୍ତି।

୫ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ ମଧ୍ୟ ସମ୍‌ର ଏହି ଦୁଇ ଦକ୍ଷ ଡାକ୍ତରଙ୍କ ସହିତ ଫୋନ ଯୋଗେ ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ କରୋନା ପରିଚାଳନାକୁ ଡାକ୍ତର ପାତ୍ର ଏବଂ ଡାକ୍ତର ବେହେରା ମଧ୍ୟ ପ୍ରଶଂସା କରିଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସରକାର ଦକ୍ଷତା ସହିତ କରୋନାର ଆଗୁଆ ପରିଚାଳନା କରୁଥିବାରୁ ଏହା ଦ୍ୱାରା ହଜାର ହଜାର ରୋଗୀ ଉପକୃତ ହୋଇପାରୁଛନ୍ତି।

 

Comments are closed.