Odisha Link
Bridging the Missing Links in Odisha

ଆଜି କାର୍ଗିଲ ବିଜୟ ଦିବସ, ବୀର ଯବାନଙ୍କୁ ମନେ ପକାଉଛି ଦେଶ

ନୂଆଦିଲ୍ଲୀ: ଆଜି କାର୍ଗିଲ ବିଜୟ ଦିବସ। କାର୍ଗିଲ ବିଜୟକୁ ଆଜି ପୁରିଛି ୨୨ ବର୍ଷ। ସହିଦ ହୋଇଥିବା ଯବାନଙ୍କ ସ୍ମୃତିରେ ୨୨ତମ କାରଗିଲ ବିଜୟ ଦିବସକୁ ପାଳୁଛନ୍ତି ସାରା ଦେଶବାସୀ। ତେବେ ୧୯୯୯ ଜୁଲାଇ ୨୬ରେ ପାକ ବିରୋଧରେ ଯୁଦ୍ଧରେ ଜିତିଥିଲା ଭାରତ। ‘ଅପରେସନ ବିଜୟ’ ଅଭିଯାନରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତରୁ ବିତାଡିତ କରିବାରେ ଭାରତୀୟ ସେନା ସଫଳ ହୋଇଥିଲେ।

ଏହି ବିଜୟ ଓ ଦେଶପାଇଁ ବଳିଦାନ ଦେଇଥିବା ବୀର ଯବାନମାନଙ୍କ ସ୍ମୃତିରେ କାରଗିଲ ବିଜୟ ଦିବସ ପାଳନ କରାଯାଉଛି। ୧୯୯୯ ମସିହା ଆଜିର ଦିନରେ ଭାରତ ସଫଳତାର ସହ ପାକିସ୍ତାନୀ ସୈନ୍ୟମାନଙ୍କ ହାତରୁ ଭାରତର ଏହି ସର୍ବୋଚ୍ଚ ଘାଟିକୁ ନିଜ ଅକ୍ତିଆରକୁ ଆଣିଥିଲା।

ଏହି ଅବସରରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦ୍ରାସ କାର୍ଗିଲ ୱାର ମେମୋରିଆଲରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। କାରଗିଲ ୱାର ମେମୋରିଆଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସିଡିଏସ୍ ଜେନେରାଲ ବିପିନ ରାୱତ ମଧ୍ୟ ଉପସ୍ଥିତ ରହିବେ। ସେହିପରି ଦିଲ୍ଲୀରେ ନେସନାଲ ୱାର ମେମୋରିଆଲରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ତିନି ସେନା ପ୍ରମୁଖ ଉପସ୍ଥିତ ରହି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ।

ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି। ୧୯୯୯ରେ ଲାହୋର ରାଜିନାମାକୁ ଅମାନ୍ୟ କରି ପାକିସ୍ତାନ ସେନା କାଶ୍ମୀରର କାର୍ଗିଲ ଅଂଚଳରେ ପ୍ରବେଶ କରିଥିଲେ। ଭାରତ ଓ ପାକିସ୍ତାନ ମଧ୍ୟରେ ୨ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିବା ପରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା। ଏଥିରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି।

Leave A Reply

Your email address will not be published.