Odisha Link
Bridging the Missing Links in Odisha

ଓଡ୍ରାଫ୍‌ କର୍ମଚାରୀ ନିଖୋଜ: ସନ୍ଧ୍ୟା ସହ ବର୍ଷା କାରଣରୁ ଉଦ୍ଧାରକାର୍ଯ୍ୟ ବନ୍ଦ

କଟକ: କଟକ ମୁଣ୍ଡଳୀରେ ହାତୀ ଉଦ୍ଧାର ବେଳେ ଓଡ୍ରାଫ ବୋଟ୍‌ ବୁଡି ବଡ ଅଘଟଣ। ବୋଟ୍‌ ବୁଡି ଓଡ୍ରାଫ କର୍ମଚାରୀ ନିଖୋଜ ଥିବାବେଳେ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଛି। ସଂଧ୍ୟା ହେବା ସହ ବର୍ଷା ହେବାରୁ ଓଡ୍ରାଫ୍ ଓ NDRF ଟିମ୍ ର ଉଦ୍ଧାର କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ପୁଣିଥରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହେବା ନେଇ ସୂଚନା ମିଳିଛି।

ସୂଚନାଯୋଗ୍ୟ,ଦୀର୍ଘଘଣ୍ଟା ଧରି ମୁଣ୍ଡଳୀ ନିକଟରେ ମହାନଦୀ ପାଣିରେ ଫସି ରହିଥିବା ଦନ୍ତା ହାତୀକୁ ଉଦ୍ଧାର କରିବାକୁ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ। ଓଡ୍ରାଫ୍ ଟିମ୍‌ର ବୋଟ୍‌ରେ ୫ଜଣ ଓଡ୍ରାଫ୍ କର୍ମଚାରୀଙ୍କ ସହ ଓଟିଭିର ରିପୋର୍ଟର ଅରିନ୍ଦମ୍ ଦାସ୍ ଏବଂ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ମଧ୍ୟ ରହିଥିଲେ। ନଦୀର ପ୍ରଖର ସ୍ରୋତରେ ବୋଟ୍‌ଟି ଭାରସାମ୍ୟ ହରାଇ ଓଲଟିପଡିଥିଲା। ଫଳରେ ବୋଟ୍‌ରେ ଥିବା ୭ ଜଣ ଯାକ ନଦୀ ପାଣିରେ ବୁଡିଯାଇଥିଲେ।

ବ୍ରିଜ୍ ଉପରେ ଥିବା ଅନ୍ୟ ଓଡ୍ରାଫ୍ କର୍ମଚାରୀ ବୁଡିଯାଇଥିବା ୩ ଜଣ ଓଡ୍ରାଫ୍ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ। ଓଟିଭିର କ୍ୟାମେରା ପର୍ସନଙ୍କୁ ମଧ୍ୟ ଓଡ୍ରାଫ୍ ଟିମ୍ ଉଦ୍ଧାର କରିଥିଲେ। ଓଟିଭିର ରିପୋର୍ଟର ଅରିନ୍ଦମ୍ ଦାସ ଭାସିଯାଇଥିଲେ। ମାଛଧରା ଡଙ୍ଗା ତାଙ୍କ ନିକଟକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲା। ସମସ୍ତଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଓଟିଭି ରିପୋର୍ଟର ଅରିନ୍ଦମ୍ ଦାସଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଉଦ୍ଧାର ହୋଇଥିବା ଅନ୍ୟ ୪ଜଣ କର୍ମଚାରୀ ଏବେ ଚିକିତ୍ସାଧିନ ଅଛନ୍ତି। ଏବେବି ଓଡ୍ରାଫ୍ ଟିମ୍‌ର ଅନ୍ୟ ଜଣେ କର୍ମଚାରୀ ନିଖୋଜ ଅଛନ୍ତି।

Leave A Reply

Your email address will not be published.