ହ୍ରଦରେ ଓଲଟି ପଡ଼ିଲା ଡଙ୍ଗା; ଚାଲିଗଲା ୧୨ ଛାତ୍ରଛାତ୍ରୀ ଓ ୨ ଶିକ୍ଷକ ଜୀବନ, ଏବେବି ୯ ନିଖୋଜ

ଓଏଲ୍ ବ୍ୟୁରୋ: ଗୁଜରାଟର ବଡ଼ୋଦରାର ହରଣି ହ୍ରଦରେ ବଡ଼ ଅଘଟଣ। ହ୍ରଦରେ ଡଙ୍ଗା ଓଲଟି ପଡ଼ିବାରୁ ଚାଲିଗଲା ୧୪ ଜୀବନ। ମୃତକଙ୍କ ମଧ୍ୟରେ ୧୨ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୨ ଜଣ ଶିକ୍ଷକ ଅଛନ୍ତି। ଆହୁରି ୭ ଜଣ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଶିକ୍ଷକ ଓ ୮ ଛାତ୍ରଛାତ୍ରୀ ଅଛନ୍ତି।
ନ୍ୟୁ ସନରାଇଜ୍ ନାମକ ଏକ ଘରୋଇ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ହରଣି ହ୍ରଦକୁ ପିକ୍ନିକ୍ କରିବାକୁ ଯାଇଥିଲେ। ହ୍ରଦରେ ଡଙ୍ଗାରେ ବସି ମଜା ନେଉଥିବା ସମୟରେ ଅଘଟଣ ଘଟିଥିଲା। ଦୁର୍ଘଟଣା ବେଳେ ଡଙ୍ଗାରେ ୩୪ ଜଣ ଥିଲେ। ୧୦ ଜଣ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନେ ନିଖୋଜ ଅଛନ୍ତି।
ନିଖୋଜ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଉଦ୍ଧାର କରିବାକୁ ଏନ୍ଡିଆର୍ଏଫ୍ ଓ ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ସେ ଘୋଷଣା କରିଛନ୍ତି।ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।