Odisha Link
Bridging the Missing Links in Odisha

୧୦ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ; ଅନୁଭବ-ବର୍ଷାଙ୍କ ଛାଡ଼ପତ୍ରକୁ ମିଳିଲା ମଞ୍ଜୁରୀ

ଓଏଲ୍‌ ବ୍ୟୁରୋ: ଅନେକ ବାଦବିବାଦ ପରେ ଶେଷରେ ୧୦ ବର୍ଷର ବୈବାହିକ ସମ୍ପର୍କରେ ପଡ଼ିଛି ପୂର୍ଣ୍ଣେଚ୍ଛେଦ। ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଚ୍ଛେଦ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି। ଅନୁଭବ ଗତକାଲି ରାତିରେ ସୋସିଆଲ୍ ମିଡିଆ ସାଇଟ୍ X ରେ ନିଜ ବିବାହ ବିଚ୍ଛେଦ ସମ୍ପର୍କରେ ସୂଚନା ଦେଇଛନ୍ତି। ଖୋଦ୍ ଅନୁଭବ ଲେଖିଛନ୍ତି, ତାଙ୍କ ବିବାହର ଦଶ ବର୍ଷ ପୂର୍ତ୍ତି ପୂର୍ବରୁ ତାଙ୍କ ଛାଡ଼ପତ୍ର ହୋଇଛି। ଏନେଇ ଏକ କୋର୍ଟ ନିର୍ଦ୍ଦେଶର ଫଟୋ କପିକୁ ବି ସେ ଏଥିରେ ଆଟାଚ୍ କରିଛନ୍ତି।

ଏହି ଲଢେଇରେ ଯେଉଁମାନେ ତାଙ୍କ ସହ ଏବଂ ତାଙ୍କ ପରିବାର ସହ ଥିଲେ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଅନୁଭବ। ମିଛ ବିବାହର ଯନ୍ତ୍ରଣାରୁ ତାଙ୍କୁ ମୁକ୍ତି ମିଳିଛି। ତଥାପି ବର୍ଷାଙ୍କ ଖୁସି ପାଇଁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ୧୦ ବର୍ଷ ବିବାହ ବାର୍ଷିକୀ ପୂର୍ବରୁ କୋର୍ଟଙ୍କ ଏଭଳି ନିଷ୍ପତ୍ତି ଆସିଥିବାରୁ ସେ ସୋସିଆଲ ମିଡିଆରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ତେବେ ଏହି ଘଟଣାରେ ବର୍ଷାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି। ଗତ କିଛି ବର୍ଷ ଧରି ଉଭୟଙ୍କ ବିବାହ ବିଚ୍ଛେଦ ମାମଲା ବେଶ୍ ଚର୍ଚ୍ଚାରେ ରହିଛି। ହାଇକୋର୍ଟ ମଧ୍ୟ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଥିଲେ। ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ।

ଅନୁଭବ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଥିଲେ ଯେ, ଗତ ୧୦ ବର୍ଷ ଧରି ମୁଁ ମିଛ ବିବାହ ବନ୍ଧନରେ ଥିଲି। ହୃଦୟହୀନ ସମ୍ପର୍କ ଏବଂ କଷ୍ଟଦାୟକ ବର୍ଷ ଏସବୁ ଥିଲା। ଏବେ ଖୁସି ପାଇଁ ପ୍ରାର୍ଥନା କରନ୍ତୁ ବୋଲି ଅନୁଭବ X ରେ ଲେଖିଛନ୍ତି। ସବୁଠୁ ବଡ଼କଥା ହେଲା ଆଜି ଅର୍ଥାତ ୮ ଫେବ୍ରୁଆରୀରେ ଅନୁଭବ ଓ ବର୍ଷାଙ୍କ ବିବାହର ୧୦ ବର୍ଷ ପୂର୍ତ୍ତି ହେଉଥିଲା। କିନ୍ତୁ ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ବିବାହ ବିଚ୍ଛେଦ ସମ୍ପର୍କରେ ସୂଚନା ଦେଇଛନ୍ତି ଅନୁଭବ।