Odisha Link
Bridging the Missing Links in Odisha

ମୋହନ ମାଝୀ: ସରପଞ୍ଚରୁ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: କଳ୍ପନା ଜଳ୍ପନାର ଅନ୍ତ ଘଟିଲା। ଓଡ଼ିଶାକୁ ମିଳିଲା ୧୫ତମ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେଲେ ମୋହନ ମାଝୀ। ଏନେଇ ଆଜି ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତି ହୋଇଛି। କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ ଓଡ଼ିଶାର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଅପରାହ୍ନ ୫ଟାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସବୁଠୁ ବଡ଼କଥା ହେଲା ସରପଞ୍ଚରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ମୋହନ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏଥିସହିତ ଓଡ଼ିଶା ପାଇଲା ୨ ଉପମୁଖ୍ୟମନ୍ତ୍ରୀ। ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଓ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାମ ଘୋଷଣା କରାଯିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ମୋହନ ମାଝୀ। ସେ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମୋର ପ୍ରଣାମ। ମହାପ୍ରଭୁଙ୍କ ଆଶୀର୍ବାଦରେ ଓଡିଶାରେ ବିଜେପି ସରକାର ଗଠନ କରିଛି। ରାଜ୍ୟକୁ ଏକ ନମ୍ବର କରିବାକୁ ପ୍ରୟାସ କରାଯିବ। ଓଡ଼ିଶାର ସାଢେ ୪ କୋଟି ଜନତା ଆମ ଉପରେ ଭରସା କରିଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ବୋଲି କହିଛନ୍ତି।

ମୋହନ ମାଝୀ କିଏ? ଜାଣନ୍ତୁ:

ମୋହନ ଚରଣ ମାଝୀ ୧୯୭୨ ମସିହାର ଜାନୁଆରୀ ମାସ ୬ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ଗୁନାରାମ ମାଝୀ। ମୋହନଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ। ତାଙ୍କ ପତ୍ନୀଙ୍କ ନାମ ପ୍ରିୟଙ୍କା ମାର୍ଣ୍ଡି। ସରପଞ୍ଚ ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ମୋହନ ମାଝୀ କେନ୍ଦୁଝର ସଦରରୁ ୪ର୍ଥ ଥର ପାଇଁ ବିଧାୟକ ହୋଇଛନ୍ତି। ୧୯୯୭-୨୦୦୦ ମସିହା ପର୍ଯ୍ୟନ୍ତ ସେ ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ। ସେ ଜଣେ ଆଦିବାସୀ ନେତା ଭାବେ ବେଶ ପରିଚିତ। ସେ ୨୦୦୦, ୨୦୦୯, ୨୦୧୯ ଓ ୨୦୨୪ରେ ନିର୍ବାଚିତ ହୋଇଛନ୍ତି।

୫୩ବର୍ଷୀୟ ମୋହନ ମାଝୀ କେନ୍ଦୁଝର ଆସନରୁ ୨୦୦୦ ମସିହାରୁ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ମଧ୍ୟ କାର୍ଯ୍ୟ ତୁଲାଇ ସାରିଛନ୍ତି। ସେ ମେଣ୍ଟ ସରକାରରେ ୨୦୦୫ରୁ ୨୦୦୯ ମସିହା ପର୍ଯ୍ୟନ୍ତ ସରକାରୀ ଦଳର ଉପମୁଖ୍ୟ ସଚେତକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.