Odisha Link
Bridging the Missing Links in Odisha

ଆଜି ସୁପର-୮ ମୁକାବିଲାର ବଡ଼ ଲଢ଼େଇ, ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, ବିଶ୍ବକପ୍‌ ପ୍ରତିଶୋଧ ନେବ କି ଭାରତ

ଓଏଲ୍‌ ବ୍ୟୁରୋ: ଆଜି ଟି-୨ହ ବିଶ୍ବକପ୍‌ ୨୦୨୪ରେ ଖେଳାଯିବ ହାଇଭୋଲଟେଜ ମୁକାବିଲା। ମୁହାଁମୁହିଁ ହେବେ ବିଶ୍ବ କ୍ରିକେଟର ଦୁଇ ଶକ୍ତିଶାଳୀ ଦଳ ଭାରତ-ଅଷ୍ଟ୍ରେଲିଆ। ଆଜି ରାତି ୮ଟାରେ ବିଶ୍ବକପ୍‌ର ୫୧ତମ ମ୍ୟାଚ୍‌ ଓ୍ବେଷ୍ଟଇଣ୍ଡିଜର ସେଣ୍ଟ ଲୁସିଆର ଡାରେନ ସାମି ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମୁକାବିଲା ଉଭୟ ଦଳ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ। ସୁପର ଏଇଟରେ ଦୁଇଟିଯାକ ମ୍ୟାଚ ଜିତି ସେମିଫାଇନାଲ ପାଇଁ ସ୍ଥାନ ପକ୍କା କରିସାରିଛି ଭାରତ। ହେଲେ ଏହି ମ୍ୟାଚକୁ ଜିତି ଗ୍ରୁପର ୧ ନମ୍ବର ସ୍ଥାନରେ ରହିବାକୁ ଚେଷ୍ଟା କରିବ ଭାରତ। ଅନ୍ୟପଟେ ଅଷ୍ଟ୍ରେଲିଆ ଦଳ ଏହି ମ୍ୟାଚ୍‌ ଜିତି ସେମି ଫାଇନାଲ ଦୌଡ଼ରେ ରହିବାକୁ ଚେଷ୍ଟା କରିବ। ଯଦି ଏହି ମ୍ୟାଚ ଅଷ୍ଟ୍ରେଲିଆ ଦଳ ହାରି ଯାଏ ତେବେ ବିଶ୍ବକପ୍‌ ଟ୍ରଫି ଦୌଡ଼ରୁ ବାଦ ପଡ଼ିବ।

ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ଓ ଦ୍ବିତୀୟ ମ୍ୟାଚରେ ବାଂଲାଦେଶକୁ ହରାଇଥିଲା ଭାରତ। ସେପଟେ କିନ୍ତୁ ଅଷ୍ଟ୍ରେଲିଆ ଟିମ୍ ସୁପି ଏଇଟରେ ଆଫଗାନିସ୍ତାନଠାରୁ ପରାସ୍ତ ହୋଇଥିଲା। ତେଣୁ ଆଜିର ମ୍ୟାଚ ଜିତି ସେମିଫାଇନାଲ ଯିବାକୁ ପ୍ରାଣପଣେ ଚେଷ୍ଟା କରିବ କଙ୍ଗାରୁ ବାହିନୀ।

ଆଜି ସନ୍ଧ୍ୟାରେ ଏହି ମ୍ୟାଚ୍‌ ହେବାକୁ ଥିବା ବେଳେ ବର୍ଷା ବାଧକ ସାଜିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯଦି ବର୍ଷା ଯୋଗୁ ମ୍ୟାଚ୍‌ ବାତିଲ ହୁଏ ତେବେ ଭାରତ ର୍ନିଦ୍ୱନ୍ଦ୍ୱରେ ସେମିଫାଇନାଲରେ ପ୍ରବେଶ କରିବ। ହେଲେ ଅଷ୍ଟ୍ରେଲିଆ ପାଇଁ ଦ୍ୱନ୍ଦ୍ୱ ରହିବ। ଟି-୨୦ ବିଶ୍ୱକପ୍‌ରେ ଭାରତ ଲଗାତର ବିଜୟୀ ହୋଇ ଗ୍ରୁପ୍‌-୧ରେ ୪ ପଏଣ୍ଟ ସହ ଶୀର୍ଷରେ ରହିଛି। ସେହିପରି ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ଭାରତର ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ୟାଦବ, ଶିବମ ଦୁବେ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ୟାଦବ, ଯଶପ୍ରୀତ୍ ବୁମ୍‌ରା, ଅର୍ଶଦୀପ ସିଂହ।