Odisha Link
Bridging the Missing Links in Odisha

ଜନତାଙ୍କ ବନ୍ଧୁ ହେଉଛି ପୁଲିସ: ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଲୋକସେବା ଭବନରେ ଚାଲିଛି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀ। ସରକାରକୁ ଆସିବା ପରେ ପ୍ରଥମ ଥର ପାଇଁ ସମସ୍ତ ଜିଲ୍ଲାାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନେଇ ବୈଠକ କରୁଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିଛନ୍ତି। ଏହି ସମ୍ମିଳନୀରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଯୋଗ ଦେଇଛନ୍ତି। ହେଲେ ଆଇନ୍‌ ଶୃଙ୍ଖଳାକୁ ନେଇ ଅନୁପସ୍ଥିତ ଅଛନ୍ତି ୫ ଜିଲ୍ଲାର ଆରକ୍ଷୀ ଅଧିକାରୀ। ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ରାଉରକେଲା, ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଯୋଗ ଦେଇ ନାହାନ୍ତି।

ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ କହିଛନ୍ତି, ଜନତାଙ୍କ ସୁରକ୍ଷା ଦାୟିତ୍ବ ପୁଲିସ ହାତରେ ରହିଛି। ପୁଲିସ ହେଉଛି ଜନତାଙ୍କ ବନ୍ଧୁ। ଜନତାଙ୍କ ଭିତରେ ବିଶ୍ବାସ ଜନ୍ମ କରୁ ପୁଲିସ। ସାଧାରଣ ଲୋକର ଭରସାକୁ ବଜାଏ ରଖୁ ପୁଲିସ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଉପସ୍ଥିତ ଆରକ୍ଷୀ ଅଧିକଙ୍କୁ ସମ୍ବୋଧନ କରିବା ସହିତ ତାଗିଦ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଥାନାରେ ମହିଳାଙ୍କ ପ୍ରତି ଉଚିତ୍‌ ବ୍ୟବହାର କର। ଧୈର୍ଯ୍ୟର ସହ ଅଭିଯୋଗ ଶୁଣ ମାମଲା ଦାଏର କର। ଦିନ ହେଉ କି ରାତି ମାମଲା ଶୁଣ। ଅପରାଧୀ ଯେଉଁ ପଦ ମର୍ଯ୍ୟାଦାରେ ଥିଲେ ବି କାର୍ଯ୍ୟାନୁଷ୍ଠାନ ହେବ। ରାତି ସମୟରେ କିଏ ଯଦି ଥାନାକୁ ଅଭିଯୋଗ କରିବାକୁ ଯାଉଛି ତାହାଲେ ଅଧିକ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହିତ ତ୍ରୁଟି ଥିଲେ ତୁରନ୍ତ ନିଜକୁ ସୁଧାରି ନିଅ ବୋଲି ତାଗିଦ ମଧ୍ୟ କଲେ ମୁଖ୍ୟମନ୍ତ୍ରୀ।

ଏଥିସହିତ ଓଡ଼ିଶା ପୁଲିସକୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ପୁଲିସ ଶୃଙ୍ଖଳିତ, ଲୋକାଭିମୁଖୀ ଓ ଦକ୍ଷ ଦଳ। ପୁଲିସର ନେତୃତ୍ବରେ ରଥାଯାତ୍ରା ସୁରୁଖୁରରେ ସରିଛି। ଦିନ ତିଲା ଓଡ଼ିଶା ମାଓ ହିଂସାର ଶିକାର ହୋଇ ଆସୁଥିଲା। ଓଡ଼ିଶା ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ସହାୟତାରେ ସ୍ଥିତି ସୁଧୁରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।