ଇସ୍ରାଏଲ ଆକ୍ରମଣରେ ହେଜବୁଲ୍ଲା ମୁଖ୍ୟ ମୃତ
ଓଏଲ ବ୍ୟୁରୋ: ତ୍ରୀବ ହେବାରେ ଲାଗିଛି ଇସ୍ରାଏଲ ଓ ହେଜବୁଲ୍ଲା ବିବାଦ। ଏପରିକି ବିବାଦ ମହାଯୁଦ୍ଧର ରୂପ ନେଲାଣି। ଏସବୁ ମଧ୍ୟରେ ଆସିଛି ବଡ଼ ଖବର। ଲେବାନନର ଦକ୍ଷିଣ ବେରୁଟ ସହରରେ ଇସ୍ରାଏଲ ଗତ ଶୁକ୍ରବାରଠାରୁ ଜାରି ରଖିଥିବା ଏୟାରଷ୍ଟ୍ରାଇକରେ ହେଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା ନିହତ ହୋଇଛି। ନସରଲ୍ଲା ସହିତ ତା’ର ଝିଅ ମଧ୍ୟ ପ୍ରାଣ ହରାଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ପକ୍ଷରୁ ଶନିବାର ଏହା ସ୍ପଷ୍ଟ କରାଯାଇଛି। ନସରଲ୍ଲା ଅନେକ ଇସ୍ରାଏଲ ନାଗରିକ ଏବଂ ସୈନିକଙ୍କ ହତ୍ୟାର ଅଭିଯୁକ୍ତ ଥିବା ସାଙ୍ଗକୁ ହଜାର ହଜାର ଆତଙ୍କବାଦୀ କାର୍ଯ୍ୟକଳାପର ମାଷ୍ଟରମାଇଣ୍ଡ ଥିଲା ବୋଲି କୁହାଯାଇଛି।
ଲେବାନନ୍ ସଶସ୍ତ୍ର ଗୋଷ୍ଠୀର ନିକଟ ସୂତ୍ର ନ୍ୟୁଜ୍ ଏଜେନ୍ସି ରଏଟର୍ସକୁ କହିଛି ଯେ ଶୁକ୍ରବାର ସନ୍ଧ୍ୟାରେ ବେରୁଟର ଦକ୍ଷିଣ ଉପକଣ୍ଠରେ ଇସ୍ରାଏଲ୍ ଆକ୍ରମଣ ପରେ ହେଜବୁଲ୍ଲା ମୁଖ୍ୟ ହାସନ ନାସରଲ୍ଲାହଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ତାଙ୍କ ସହ ଯୋଗାଯୋଗ କରାଯାଇପାରିବ ନାହିଁ।
ଆଇଡିଏଫ ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ ଜରିଆରେ କୁହାଯାଇଛି ଯେ, ନସରଲ୍ଲା ଏଣିକି ଦୁନିଆକୁ ଆତଙ୍କିତ କରିପାରିବ ନାହିଁ। ଆଇଡିଏଫ ମୁଖପାତ୍ର ଡାନିଏଲ ହାଗୋରି କହିଛନ୍ତି, ଆମେ ଆତଙ୍କବାଦୀ ସଂଗଠନ ହେଜବୋଲ୍ଲାର ମୁଖ୍ୟ ହସନ ନସରଲ୍ଲା ଏବଂ ଦକ୍ଷିଣ କମାଣ୍ଡର ଅଲି କରାକୀଙ୍କ ସମେତ ଅନେକ କମାଣ୍ଡରଙ୍କୁ ନିପାତ କରିଛୁ।