Odisha Link
Bridging the Missing Links in Odisha

ଜାତୀୟ ହକି: ସ୍ବର୍ଣ୍ଣ ପଦକ ଜିତିଲା ଓଡ଼ିଶା, ହରିୟାଣାକୁ ୫-୧ରେ ହରାଇଲା

ଓଏଲ୍‌ ବ୍ୟୁରୋ: ଇତିହାସ ରଚିଲା ଓଡ଼ିଶା ହକି ଦଳ। ଓଡ଼ିଶା ପୁରୁଷ ହକି ଦଳ ପ୍ରଥମ ଥର ପାଇଁ ଜାତୀୟ ହକି ପ୍ରତିଯୋଗିତାରେ ଚମ୍ପିଆନ୍‌ ହୋଇଛି। ଫାଇନାଲ ମୁକାବିଲାରେ ହରିୟାଣାକୁ ୫-୧ ଗୋଲରେ ହରାଇ ଚମ୍ପିଆନ୍‌ ହୋଇଛି ଓଡ଼ିଶା ହକି ଦଳ। ଏଥିସହିତ ସ୍ବର୍ଣ୍ଣ ପଦକ ଜିତିଛି ଓଡ଼ିଶା। ପୂର୍ବରୁ ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନ ୨୦୧୬ରେ କାଂସ୍ୟ ପଦକ ବିଜୟ ଥିଲା।

ଫାଇନାଲ ମ୍ୟାଚରେ ଓଡ଼ିଶା ପକ୍ଷରୁ ଲାକ୍ରା ସିଲାନନ୍ଦ ସର୍ବାଧିକ ୩ଟି ଗୋଲ୍‌ କରିଥିବା ବେଳେ ରଜକ ଆକାଶ ତିର୍କୀ ଓ ଲାକ୍ରା ପ୍ରତାପ ଗୋଟିଏ ଲେଖାଏଁ ଗୋଲ କରିଛନ୍ତି। ଅପରପକ୍ଷେ ହରିୟାଣା ପକ୍ଷରୁ ଏକମାତ୍ର ଗୋଲ ଜୋଗିନ୍ଦର ସିଂହ ଦେଇଥିଲେ।

ପ୍ରଥମ କ୍ବାର୍ଟରରେ ଓଡ଼ିଶାର ରଜତ ଆକାଶ ତିର୍କୀ ଗୋଟିଏ ଗୋଲ ସ୍କୋର କରି ଓଡ଼ିଶାକୁ ଭଲ ସ୍ଥିତିରେ ପହଁଞ୍ଚାଇଥିଲେ। ପରେ ଦ୍ବିତୀୟ କ୍ବାର୍ଟରେ ଉଭୟ ଦଳ ପକ୍ଷରୁ କୌଣସି ଗୋଲ୍‌ ହୋଇନଥିଲା। ଯାହାଫଳରେ ଓଡ଼ିଶା ଦଳ ୧-୦ରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟରରେ ଲାକ୍ରା ପ୍ରତାପ ଗୋଲ ଦେଇ ଓଡ଼ିଶାକୁ ୨-୦ରେ ଆଗୁଆ କରାଇଥିଲେ। ପରେ ୪ର୍ଥ କ୍ବାର୍ଟରରେ ଲାକ୍ରା ସିଲାନନ୍ଦ ୩ଟି ଗୋଲ ଦେଇ ଓଡ଼ିଶାର ବିଜୟ ସୁନିଶ୍ଚିତ କରିଥିଲେ। ହରିୟାଣା ଦଳ ପକ୍ଷରୁ ୪ର୍ଥ କ୍ବାର୍ଟରରେ ଜୋଗିନ୍ଦର ସିଂହ ଗୋଲ ଦେଇ କମ୍‌ବ୍ୟାକ୍‌ କରିବାକୁ ଚେଷ୍ଟା କରିଥିଲେ। ହେଲେ ହରିୟାଣା ଦଳକୁ ଶେଷରେ ୫-୧ରେ ପରାସ୍ତ ହେବାକୁ ପଡ଼ିଛି।