Odisha Link
Bridging the Missing Links in Odisha

ଲାଞ୍ଚ ନେଉଥିବା ଅଭିଯୋଗରେ ଧରା ପଡ଼ିଥିଲେ, ସପ୍ତାହକରେ କାର୍ଯ୍ୟରେ ଯୋଗ ଦେଲେ ସିଡିପିଓ

ଓଏଲ୍‌ ବ୍ୟୁରୋ: ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ। ଲାଞ୍ଚ ଗ୍ରହଣ ଅଭିଯୋଗରେ ଭିଜିଲାନ୍ସ ହେପାଜତକୁ ଯାଇଥିବା ସିଡିପିଓ କାର୍ଯ୍ୟକ୍ଷେତ୍ରକୁ ଯାଉଛନ୍ତି। ସପ୍ତାହକ ମଧ୍ୟରେ ଶ୍ରୀମତୀ ପାଣିଗ୍ରାହୀ ଅଫିସ ଆସିବାକୁ ନେଇ ଚର୍ଚ୍ଚା ଧରିଛି। ଏସବୁ ମଧ୍ୟରେ ଭିଜିଲାନ୍ସ ଏସ୍‌ପି ଗଣେଶ ପ୍ରଧାନ ସ୍ପଷ୍ଟୀକରଣ ରଖିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ଆସିଥିବା ଅଭିଯୋଗର ସତ୍ୟନ୍ତ ଯାଞ୍ଚ ଜାରି ରହିଛି। ଅଭିଯୋଗ ଆଣିଥିବା ଅଙ୍ଗନବାଡ଼ି ସହାୟିକା ୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ। ପରେ ସେ ଚାକିରି ଛାଡ଼ି ଦେଇଥିଲେ। ବର୍ତ୍ତମାନ ତାଙ୍କ ସ୍ଥାନରେ ଜଣେ ବୟସ୍କ ମହିଳା ସହାୟିକା ଭାବେ କାର୍ଯ୍ୟ କରୁଛନ୍ତି। ହେଲେ କିଛିଦିନ ହେବ ପୁଣିଥରେ ସହାୟିକା ଭାବେ ନିଯୁକ୍ତି ଦେବାକୁ ମହିଳା ଜଣଙ୍କ ସିଡିପିଓଙ୍କ ନିକଟକୁ ବାରମ୍ବାର ଯାଉଥିଲେ। ହେଲେ ସିଡିପିଓ ତାଙ୍କୁ ମନା କରିଥିଲେ। ପରେ ମହିଳା ଜଣଙ୍କ ତାଙ୍କ ନାମରେ ବକେୟା ପ୍ରଦାନ ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ ଆଣିଥିବା ସନ୍ଦେହ ହେଉଛି। ବର୍ତ୍ତମାନ ଏହାର ସତ୍ୟତା ଯାଞ୍ଚ କରାଯାଉଛି ବୋଲି ଏସ୍‌ପି କହିଛନ୍ତି।

ସେ ଆହୁରି କହିଛନ୍ତି, ଲାଞ୍ଚ ନେବା ପ୍ରସଙ୍ଗରେ କେମିକାଲ୍‌ ରିଆକ୍‌ସନ୍‌ ଟେଷ୍ଟ ପାଇଁ ଜବତ ଟଙ୍କା ଭୁବନେଶ୍ବର ପଠାଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୂଚନାଥାଉକି, ନଭେମ୍ବର ୨୭ ତାରିଖରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ ସିଡିପିଓଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତାଙ୍କ ନିକଟରୁ ଲାଞ୍ଚ ବାବଦକୁ ନେଇଥିବା ୧୨ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏହା ସହିଜ ସିଡିପିଓଙ୍କ ଅଫିସ୍‌ ସମେତ ଘରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ହୋଇଥିଲା। ୨୦/ ୨୦୨୪ ମାମଲା ରୁଜୁ ହୋଇଥିଲା।