ଆସନ୍ତାକାଲି ଜନ୍ମାଷ୍ଟମୀ ଉତ୍ସବ ମୁଖର ଗାଁରୁ ସହର

ଭୁବନେଶ୍ବର : ରାତି ପାହିଲେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସାରା ଦେଶରେ ପାଳିତ ହେବ। ଏ ନେଇ ଗାଁରୁ ସହର ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇ ଉଠିଛି। ମନ୍ଦିର ଗୁଡ଼ିକ ଆଜିଠାରୁ ଆଲୋକମାଳାରେ ସଜାଇ ହୋଇଛି। କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀରେ ଭଗବାନ କୃଷ୍ଣ ଜନ୍ମଗ୍ରହଣ କରିଥିଲେ। ଏହି ଦିନରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠକୁ ଅବତରଣ କରିଥିଲେ। ଦେବକୀ ଓ ବସୁଦେବଙ୍କ ଅଷ୍ଟମ ସନ୍ତାନ ଭାବେ ମହାରାଜା କଂସଙ୍କ କାରଗାରରେ ଜନ୍ମ ନେଇଥିଲେ ଭଗବାନ ଶ୍ରୀକୃଷ୍ଣ।
ପୃଥିବୀ ପୃଷ୍ଠରୁ ପାପର ଭାର କମାଇବା ପାଇଁ ଏବଂ ସାଧୁସନ୍ଥଙ୍କ ରକ୍ଷା ପାଇଁ ଭଗବାନ ବିଷ୍ଣ ଧାରଣ କରିଥିଲେ କୃଷ୍ଣ ଅବତାର। ଘନ ଅନ୍ଧକାର ମଧ୍ୟରେ ନବଜାତ ଶିଶୁକୁ ବସୁଦେବ ମଥୁରାରୁ ନେଇ ଗୋପପୁରର ରାଜା ନନ୍ଦଙ୍କ ଘରେ ଛାଡି ଆସିଥିଲେ। ଯଶୋଦାଙ୍କ କୋଳରେ କଟିଥିଲା ମହାପ୍ରଭୁଙ୍କ ବାଲ୍ୟ କାଳ। ଆସନ୍ତା କାଲି ଶ୍ରୀକୃଷ୍ଣଙ୍କ ଆରାଧାନା ପାଇଁ ରାଜ୍ୟର ବିଭିନ୍ନ ଦେବାଳୟରେ ଆଜିଠାରୁ ହୋଇଉଠିଛି ଚଳଞ୍ଚଳ। ଶ୍ରୀକୃଷ୍ଣଙ୍କ ଜନ୍ମଦିନରେ ସମସ୍ତଙ୍କ ମଙ୍ଗଳକାମନା କରି ଶ୍ରଦ୍ଧାଳୁ ନିର୍ଜଳା ଉପବାସ ମଧ୍ୟ କରିବେ।
ସାରା ବିଶ୍ୱର ହିନ୍ଦୁ ସଂପ୍ରଦାୟ ଏହାକୁ ପାଳନ କରୁଥିବାବେଳେ ଉତ୍ତର ଭାରତରେ ଏହାକୁ ଖୁବ ଧୁମଧାମରେ ପାଳନ କରାଯାଏ। ବିଶେଷ କରି ମହାରାଷ୍ଟ୍ରରେ ଦହିହାଣ୍ଡି ଭଙ୍ଗାଯାଇଥାଏ ।