ପୁରୀ ପରିକ୍ରମା ପ୍ରକଳ୍ପ: ୧୧ ସୁଦ୍ଧା ସରିବ ନିର୍ମାଣ କାର୍ଯ୍ୟ

ଓଏଲ୍ ବ୍ୟୁରୋ: ରୂପାନ୍ତରଣର ସ୍ପର୍ଶରେ ସଜେଇ ହେଉଛି ଶ୍ରୀକ୍ଷେତ୍ର। ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଉତ୍ସବ ମୁଖର ଜଗନ୍ନାଥ ଧାମ। ପୁରୀସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଶ୍ୱର୍ରେ ଚାଲିଥିବା ପରିକ୍ରମା ପ୍ରକଳ୍ପ(ଐତିହ୍ୟ କରିଡର)ର ନିର୍ମାଣ କାର୍ଯ୍ୟ ଚଳିତମାସ ୧୧ତାରିଖ ସୁଦ୍ଧା ଶେଷ ହେବ। ଆଉ ସୁରକ୍ଷା ଦୃଷ୍ଟିରୁ ୧୪ତାରିଖରୁ ସମ୍ପୂର୍ଣ୍ଣ ଅଂଚଳକୁ ପୁରୀ ପୁଲିସ ନିଜ ନିୟନ୍ତ୍ରଣକୁ ନେବ। ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଆଜି ଏହି ସୂଚନା ଦେଇଛନ୍ତି।
ସେହିପରି ଜାନୁଆରୀ ୧୪ରୁ ସମ୍ପୂର୍ଣ୍ଣ ପୁରୀ ସହରର ସୁରକ୍ଷା ପାଇଁ ପୁଲିସ ନିଜ ନିୟନ୍ତ୍ରଣକୁ ନେବ। ପରିକ୍ରମା ପ୍ରକଳ୍ପ ୧୭ତାରିଖରେ ଲୋକାର୍ପଣ ହେବ। ଏହି ଉଦଘାଟନ ସମାରୋହରେ ସାମିଲ ହେବାକୁ ରାଜ୍ୟ ତଥା ଦେଶର ବିଭିନ୍ନ ଭାଗରୁ ଆସୁଥିବା ଶ୍ରଦ୍ଧାଳୁ, ପର୍ଯ୍ୟଟକମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ଥିବା କୋଠାର ଛାତ ଉପରେ ବସିବାର ବ୍ୟବସ୍ଥା ହେବ।
ଶ୍ରୀ ଜେନା ଆହୁରି ମଧ୍ୟ କହିଛନ୍ତି ଯେ, ଲୋକଙ୍କ ସୁବିଧା ନିମନ୍ତେ ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା ଲୋକାର୍ପଣ ପୂର୍ବରୁ ପ୍ରକଳ୍ପ ଅଞ୍ଚଳରେ ଶେଷ କରାଯିବ। ସୁରକ୍ଷା ଦୃଷ୍ଟିରୁ ସମଗ୍ର ସହରକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବ । ପରିକ୍ରମା ପ୍ରକଳ୍ପର ଉଦଘାଟନ ଉତ୍ସବ ଦିନ ପୁରୀ ସହରକୁ ଆସୁଥିବା ଗାଡ଼ିଗୁଡ଼ିକ ନୂଆ ପାର୍କିଂ ସ୍ଥଳୀ ସମଙ୍ଗରେ ରହିବ। ଶନିବାରଠୁ ପ୍ରତ୍ୟେକ ପଂଚାୟତରେ ଶ୍ରୀଜଗନ୍ନାଥଙ୍କ ପ୍ରଚାର ରଥ ବୁଲିବା ସହ ଚାଉଳ ଓ ଗୁଆ ସଂଗ୍ରହ କରାଯିବ।