ବ୍ୟାଗରୁ ମିଳିଲା କଟାମୁଣ୍ଡ ଭାଇ ଗିରଫ

ସମ୍ୱଲପୁର : ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ତିଲେଇମାଲରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଦୁର୍ବୃତ୍ତ ତାଙ୍କ ମୁଣ୍ଡ କାଟି ନେଇଯାଇ ଫେରାର ଥିବା ଘଟଣାରେ ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମୃତ ସତ୍ୟନାରାୟଣଙ୍କ ସମ୍ପର୍କୀୟ ବଡ଼ ଭାଇ ବୋଲି ଜଣାପଡ଼ିଛି। ତାଙ୍କ ନାଁ ଉଜ୍ଜଳ ମୁଣ୍ଡା। ଉଜ୍ଜଳଙ୍କଠାରୁ କଟାମୁଣ୍ଡ ଓ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ମଧ୍ୟ ପୁଲିସ୍ ଜବତ କରିଛି।
ତେବେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଙ୍କ ଘରେ ରକ୍ତର ଛିଟା ଦେଖିବାକୁ ପାଇଥିଲା। ଏହାପରେ ପୁଲିସ୍ ଉଜ୍ଜଳ ମୁଣ୍ଡାକୁ ଖୋଜୁଥିଲା। ବିଭିନ୍ନ ସ୍ଥାନରେ ପୁଲିସ୍ ଉଜ୍ଜଳ ମୁଣ୍ଡାକୁ ଖୋଜୁଥିବା ବେଳେ ସେ ଏକ ବ୍ୟାଗ୍ରେ କଟା ମୁଣ୍ଡକୁ ଧରି ଟାଙ୍ଗିଆ ସହିତ ଅଇଁଠାପାଲି ଥାନା ନିକଟ ଜାତୀୟ ରାଜପଥରେ ବୁଲୁଥିଲା। ତାକୁ ଏହି ଅବସ୍ଥାରେ ଦେଖି ପୁଲିସ୍ ସନ୍ଦେହ କରି ଉଜ୍ଜଳ ମୁଣ୍ଡାକୁ ପଚରାଉଚରା କରିଥିଲା । ତା’ ବ୍ୟାଗରେ କଟା ମୁଣ୍ଡ ଥିବା ଅଭିଯୁକ୍ତ କହିବା ପରେ ପୁଲିସ୍ ତାକୁ ଧରି ଥାନାକୁ ଆଣିଥିଲା। ଏହାପରେ ପୁଲିସ୍ ତାକୁ ଗିରଫ କରିଥିଲା। ଆଜି ତାକୁ ଥାନାରେ ଘଟଣା ସମ୍ପର୍କରେ ପଚରାଉଚରା କରାଯିବ। ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ। ପୂର୍ବଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସମ୍ୱଲପୁର ଏସ୍ପି ସୂଚନା ଦେଇଛନ୍ତି।
ଗତକାଲି ରାତିରେ ରାତିରେ ଅସହ୍ୟ ଗୁଳୁଗୁଳି ହେଉଥିବାରୁ ସତ୍ୟନାରାୟଣ ଘର ବାହାରେ ଖଟିଆରେ ମାଶାରୀ ଟାଙ୍ଗି ଶୋଇଥିଲେ। ଏହି ମସୟରେ ତାଙ୍କୁ ହତ୍ୟା କରି ମୁଣ୍ଡ କାଟି ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା।