ସାମୁଦ୍ରିକ ଝଡ଼ ‘ବାୟୁ’ ଗୁଜୁରାଟ ମୁହାଁ

ନୂଆଦିଲ୍ଲୀ: ପୁଣି ଆଉ ଏକ ସାମୁଦ୍ରିକ ଝଡ଼ ଭାରତ ମୁହାଁ। ଦକ୍ଷିଣ ପୂର୍ବ ଆରବ ସାଗରରେ ସୃଷ୍ଟ ଲଘୁଚାପ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଛି। ଏହାର ନାମକରଣ କରାଯାଇଛି ‘ବାୟୁ’। ଆସନ୍ତା ୪୨ ଘଣ୍ଟା ମଧ୍ୟରେ ଏହା ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୭୨ ଘଣ୍ଟାରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରିବ। ଆସନ୍ତା ୧୩ ତାରିଖ ସକାଳେ ଏହା ଗୁଜରାଟ ଉପକୂଳ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ଏଥିନେଇ ଗୁଜୁରାଟ ସରକାର ଜରୁରୀକାଳୀନ ବୈଠକ ଡାକିବା ସହ ମତ୍ସଜୀବୀମାନଙ୍କୁ ସମୁଦ୍ରରୁ ମାଛ ଧରିବାକୁ ବାରଣ କରିଛନ୍ତି। ଏହି ସମୟରେ ପବନର ଘଣ୍ଟାପ୍ରତି ବେଗ ୧୧୦ରୁ ୧୨୦ କିଲୋମିଟର ରହିବ। ଏପରିକି ପବନର ବେଗ ୧୩୫ କିଲୋମିଟର ମଧ୍ୟ ହୋଇପାରେ ବୋଲି ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଲକ୍ଷାଦ୍ୱୀପ, କେରଳ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ମଧ୍ୟ ଏହା ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ୧୦ ରୁ ୧୩ ତାରିଖ ପର୍ଯ୍ୟନ୍ତ ଆରବ ସାଗରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଏହି ସାମୁଦ୍ରିକ ଝଡ଼ ‘ବାୟୁ’ର ପ୍ରଭାବ ଓଡ଼ିଶା ସମେତ ପୂର୍ବ ଭାରତରେ କୌଣସି ପ୍ରଭାବ ପଡିବନାହିଁ ବୋଲି ଭାରତୀୟ ପାଣିପାଗ ସୂଚନା ଦେଇଛି।