Odisha Link
Bridging the Missing Links in Odisha

୩୬ ବର୍ଷ ପୂର୍ବେ ଆଜିର ଦିନରେ ବିଶ୍ବ ବିଜୟୀ ହୋଇଥିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଆଜି ହେଉଛି ୨୦୧୯ ଜୁନ୍ ୨୫ ତାରିଖ। ଜୁନ୍‌ ୨୫ ପ୍ରତିଟି ଭାରତୀୟ ପାଇଁ ଚିର ସ୍ମରଣୀୟ। କାରଣ ଆଜକୁ ଠିକ୍ ୩୬ ବର୍ଷ ପୂର୍ବେ ଆଜିର ଦିନରେ ବିଶ୍ବ କ୍ରିକେଟରେ ବିଜର ଜଲବା ଦେଖାଇଥିଲା ଟିମ୍‌ ଇଣ୍ଡିଆ। ଅର୍ଥାତ୍ ୧୯୮୩ ଜୁନ୍ ମାସ ୨୫ ତାରିଖରେ ସେତେବଳର କ୍ରିକେଟ ଜଗତର ବାଦଶାହା ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରି ବିଶ୍ବ ବିଜେତାର ମୁକୁଟ ପିନ୍ଧିଥିଲା ଟିମ୍‌ ଇଣ୍ଡିଆ। ଆଉ ଏହା ଥିଲା ଭାରତର ପ୍ରଥମ ବିଶ୍ୱକପ୍ ବିଜୟ । ଆଉ ଏହାରି ଭିତରେ ବିତିଯାଇଛି ୩୬ ବର୍ଷ। କିନ୍ତୁ ଜୁନ୍ ମାସ ୨୫ ତାରିଖକୁ ଭୁଲିପାରି ନାହାନ୍ତି ଭାରତବାସୀ । ଏହି ତାରିଖ ଏଥିପାଇଁ ସ୍ୱତନ୍ତ୍ର, କାରଣ ୧୯୮୩ ଆଜିର ଦିନରେ ବିଶ୍ୱକପ୍ କ୍ରିକେଟ୍ ଫାଇନାଲରେ ଦୁଇ ଥରର ଚାମ୍ପିୟନ୍ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି କପିଲ ଦେବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୭୫ କୋଟି ଲୋକଙ୍କ ସ୍ୱପ୍ନ ସାକାର କରିଥିଲା। ଏବଂ ଦେଶକୁ ପ୍ରଥମ କ୍ରିକେଟ ବିଶ୍ବକପ୍‌ ଭେଟି ଦେଇଥିଲେ। ବିସିସିଆଇ ପକ୍ଷରୁ ଟୁଇଟ କରି ମଧ୍ୟ ଶୁଭେଚ୍ଛା ଜଣାଯାଇଛି ।

ଜୁନ୍ ୨୫, ୧୯୮୩ ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡ, ଇଂଲଣ୍ଡ । ବିଶ୍ୱକପ୍ କ୍ରିକେଟରେ ଖେଳାଯିବାକୁ ଥିଲା ଫାଇନାଲ୍ ଲଢେଇ । ଗୋଟିଏ ପଟେ ପ୍ରଥମ ଥର ପାଇଁ ଫାଇନାଲ୍ ଯାଇଥିବା ଭାରତୀୟ ଦଳ ଆଉ ଅନ୍ୟପଟେ ରହିଥାଏ ଦୁଇ ଦୁଇ ଥରର ଚାମ୍ପିୟନ୍ ୱେଷ୍ଟଇଣ୍ଡିଜ୍ । କେହି ହେଲେ ମଧ୍ୟ ବିଶ୍ୱାସ କରିପାରୁନଥାନ୍ତି ଯେ, ବିଶ୍ୱବିଜେତା ହେବାରେ ଭାରତ ଏବେ ମାତ୍ର ଗୋଟିଏ ପାଦ ପଛରେ ରହିଛି । ଆଉ ଭାରତ ସେତେବେଳେ କ୍ରିକେଟରେ ଶକ୍ତିଶାଳୀ ଦଳ କୁହାଯାଉଥିବା ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି ଦେଶକୁ ଚିତ୍ କରି ଫାଇନାଲରେ ପ୍ରବେଶ କରିଥିଲା । ଆଉ ଫାଇନାଲରେ ଯେତେବେଳେ ଭାରତ ୱେଷ୍ଟଇଣ୍ଡିଜକୁ ହରାଇ ବିଶ୍ୱକପ ଜିତିଲା ଆଉ ଲର୍ଡସରେ କପିଲ ଦେବଙ୍କ ବିଶ୍ୱକପ ସହ ଏହି ଫଟୋ, ବିଶ୍ୱକପର ସେହି ସ୍ମୃତି ସମଗ୍ର ଭାରତୀୟଙ୍କ ମନରେ ଆଜି ବି ସତେଜ ହୋଇରହିଛି ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ୨୦୧୯ ବିଶ୍ୱକପ୍ ମଧ୍ୟ ଇଂଲଣ୍ଡ ଠାରେ ଖେଳାଯାଉଛି । ଆସନ୍ତା ଜୁଲାଇ ୧୪ ତାରିଖରେ ପୁଣି ଥରେ ଯେତେବେଳେ ଲର୍ଡସ ଗ୍ରାଉଣ୍ଡରେ ବିଶ୍ୱକପର ଫାଇନାଲ ମ୍ୟାଚ୍ ଖେଳାଯିବ, ପୁଣି ଥରେ ଭାରତ ଇଂଲଣ୍ଡ ମାଟିରୁ ବିଶ୍ୱବିଜେତା ହେବ ବୋଲି ୧୩୦ କୋଟି ଭାରତୀୟଙ୍କ ମନରେ ଆଶା ରହିଛି । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତ ବିଶ୍ୱକପରେ ଟିମ୍‌ ଇଣ୍ଡିଆ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମଧ୍ୟ ମ୍ୟାଚ୍ ହାରିନାହିଁ। ବିରାଟ ବାହିନୀର ଦମଦାର ପ୍ରଦର୍ଶନ ଜାରି ରହିଛି। ଯଦି ଟିମ୍‌ ଇଣ୍ଡିଆର ଏପରି ପ୍ରଦର୍ଶନ ଆଗାମୀ ଦିନରେ ଜାରି ରହେ ତେବେ ଭାରତ ପୁଣିଥରେ ବିଶ୍ବକପ୍‌ ଆଣିବା ପାଇଁ ସକ୍ଷମ ହେବ। ଏଥି ସହିତ ସମସ୍ତ ଭାରତବାସୀଙ୍କ ମନରେ ଗୋଟିଏ ଆଶା ଯେ, ୧୯୮୩ ଏବଂ ୨୦୧୧ ପରେ ୨୦୧୯ରେ ମଧ୍ୟ ବିଶ୍ୱବିଜେତା ବନିବ ଭାରତ।

Comments are closed.