ଦବଙ୍ଗ ବିଧାୟକଙ୍କ ଠିକଣା ୪ ନମ୍ବର ସେଲ୍

ବଲାଙ୍ଗୀର: ଏବେ ଜେଲ୍ରେ ପାଟଣାଗଡ଼ ଦବଙ୍ଗ ବିଧାୟକ ସରୋଜ ମେହେର। ଆଜିଠୁ ଷୋଡ଼ଶ ବିଧାନସଭା ଆରମ୍ଭ ହେଉଛି। କିନ୍ତୁ ତାଙ୍କର ଠିକଣା ବିଧାନସଭା ଗୃହ ନୁହେଁ ବରଂ ୪ ନମ୍ବର ସେଲ। ସରୋଜ ବର୍ତ୍ତମାନ ପାଟଣାଗଡ଼ ଉପକାରାଗାରର ୪ ନମ୍ବର ସେଲ୍ରେ ଅଛନ୍ତି। ଗତକାଲି ଜେଲ୍ରେ ରାତି କାଟିଛନ୍ତି ବିଧାୟକ। ଆଜି ବିଧାୟକ ସରୋଜ ମେହେର ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ଅଧିବେଶନରେ ଯୋଗ ଦେଇଥାନ୍ତେ। କିନ୍ତୁ ତାଙ୍କ ଆଶା ଚୁରମାର ହୋଇଯାଇଛି। ତା’ ପୂର୍ବରୁ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ସୂଚନାଥାଉକି, କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍ବସ୍ କରାଇବା ମାମଲାରେ ବିଭିନ୍ନ ଦିଗରୁ ଚାପ ପଡ଼ିବା ପରେ ତାଙ୍କୁ ଗତକାଲି ଗିରଫ କରିଥିଲା ପୁଲିସ। ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୭ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଦିବାସୀ ସଂଘ ପକ୍ଷରୁ ଡାକରା ଦିଆଯାଇଥିବା ଆନ୍ଦୋଳନ ସ୍ଥଗିତ ରହିଛି।