ପୁରୀକୁ ବିଦ୍ୟୁତ୍ ପୁନଃ ସଂଯୋଗ କାର୍ଯ୍ୟ ସରିନି : ବିଧାନସଭାରେ ମାନିଲେ ମନ୍ତ୍ରୀ

ଭୁବନେଶ୍ୱର : ବାତ୍ୟା ଫନିରେ ପ୍ରଭାବିତ ହୋଇଥିବା ଅଞ୍ଚଳକୁ ବିଜୁଳି ଯନ୍ତ୍ରଣା ନେଇ ଆଜି ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ପ୍ରଶ୍ନକାଳରେ ପ୍ରଥମେ ଏହି ପ୍ରସଙ୍ଗକୁ ଗୃହରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଉଠାଇଥିଲେ। ପରେ ଶାସକ ଦଳ ବିଧାୟକ ପ୍ରଦୀପ ମହାରଥୀ ଏହା ଉପରେ ଅତିରିକ୍ତ ପ୍ରଶ୍ନ କରି ବିଦ୍ୟୁତ୍ ବିଭାଗର କାର୍ଯ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।
ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅନୁପସ୍ଥିତିରେ ଗୃହରେ ଉତ୍ତର ରଖି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ମାନିଥିଲେ ଯେ, ଫନି ପ୍ରଭାବିତ ପୁରୀକୁ ବିଜୁଳି ପୁନଃ ସଂଯୋଗ ଅସମ୍ପୂର୍ଣ୍ଣ ରହିଛି। ଫନିରେ ୧ ଲକ୍ଷ ୮୪ ହଜାର ୮୬୨ ଉପଭୋକ୍ତା ପ୍ରଭାବିତ ହୋଇଥିଲେ। କେତେ ଉପଭୋକ୍ତାଙ୍କୁ ଏପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇଛି ମନ୍ତ୍ରୀ ଏହାର ଉତ୍ତର ଦେଇ ନ ପାରି ରଥ ପୂର୍ବରୁ ସବୁ ଉପଭୋକ୍ତାଙ୍କୁ ବିଜୁଳି ଦିଆଯିବ ବୋଲି କହିଥିଲେ।