ଶକ୍ତି ବିଭାଗରେ ଏବେ ବି ଶକ୍ତିଶାଳୀ ପୂର୍ବତନ ମନ୍ତ୍ରୀ

ଭୁବନେଶ୍ବର: ମେ ୨୯ରେ ୫ମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ ୫ମ ପାଳିରେ ୧୦ ଜଣ ନୁଆ ଚେହେରାକୁ ମନ୍ତ୍ରୀମଣ୍ଡଳରେ ସାମିଲ କରିଥିଲେ। ଏଥିରୁ ଶକ୍ତିବିଭାଗର ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ହେଲେ ଅନ୍ୟତମ। ସେ ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ଅର୍ଥାତ୍ କହିବାକୁ ଗଲେ ଶକ୍ତି ବିଭାଗର ମୁଖ୍ୟ ହେଲେ ଦିବ୍ୟଶଙ୍କର। କିନ୍ତୁ ଓପିଟିସିଏଲର ଫେସବୁକରେ ପୋଷ୍ଟିଂ ହୋଇଥିବା ତଥ୍ୟ ଏବଂ ଦୃଶ୍ୟ ଆଉ କିଛି ଦର୍ଶାଉଛି।
ଗତ ଜୁନ୍ ୧୭ରେ ଓପିଟିସିଏଲ ତାର ଫେସବୁକ ପେଜରେ ଉଲ୍ଲେଖ କରିଛି ଯେ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଶକ୍ତି ବିଭାଗର ଉଚ୍ଚ ପଦାଧିକାରୀଙ୍କ ସହିତ ରାଜ୍ୟସ୍ତରୀୟ ସମୀକ୍ଷା କରିଛନ୍ତି। ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ ଶକ୍ତି ବିଭାଗରେ ଏବେ ସୁଦ୍ଧା ପୂର୍ବତନ ଶକ୍ତିମନ୍ତ୍ରୀ ତଥା ବର୍ତ୍ତମାନ ଯାଜପୁର ବିଧାୟକ ପ୍ରଣବଙ୍କ ଦବଦବା ପୂର୍ବଭଳି ଅକ୍ଷୂର୍ଣ୍ଣ ରହିଛି।
ତେବେ ଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀଙ୍କ ଅନୁପସ୍ଥିତିରେ କିଭଳି ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ହେଉଛି ତାହା ପ୍ରଶ୍ନ ଉଠୁଛି। ନବୀନ ତାଙ୍କ ୫ମ ପାଳିରେ ଏଥିପାଇଁ ଶକ୍ତି ବିଭାଗର କ୍ୟାବିନେଟ ମନ୍ତ୍ରୀ ଘୋଷଣା କରିନାହାନ୍ତି କି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।