ମହଣ ମହଣ ସୁନାରେ ଝଲସିବେ ଶ୍ରୀଜିଉ, ଅପରାହ୍ନ ୪ରୁ ରାତି ୧୧ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ ଭକ୍ତ

ପୁରୀ: ଆଜି ଅପରାହ୍ନ ୪ଟାରୁ ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜିଉ। ମହଣ ମହଣ ସୁନାରେ ଦର୍ଶନ ଦେବେ ଶ୍ରୀଜିଉ। ମହାପ୍ରଭୁ ପ୍ରାୟ ୨ ଶହ କିଲୋଗ୍ରାମର ସୁନା ଅଳଙ୍କାର ପିନ୍ଧି ଲକ୍ଷ ଲକ୍ଷ ଭକ୍ତଙ୍କୁ ବଡ଼ଦାଣ୍ଡରେ ଦର୍ଶନ ଦେବେ। ମହାପ୍ରଭୁଙ୍କର ଏହି ବେଶକୁ ରାଜରାଜେଶ୍ୱର ବେଶ ବୋଲି ମଧ୍ୟ କୁହାଯାଏ। ବିଶ୍ୱାସ ରହିଛି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ। ମହାପ୍ରଭୁଙ୍କ ସୁନାବେଶ ୪ଟାରୁ ଆରମ୍ଭ ହୋଇ ରାତି ୧୧ଟା ପର୍ଯ୍ୟନ୍ତ ସୁନାବେଶ ଦର୍ଶନ ଚାଲୁ ରହିବ ବୋଲି ସୂଚନା ରହିଛି। ଏହି ଦର୍ଶନ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ୍ ସହ ଓ୍ଵାନ୍ ଓ୍ଵେ ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ ହୋଇଛି। ଖବର ଲେଖା ହେଲା ବେଳକୁ ମହାପ୍ରଭୁଙ୍କ ସୁନାବେଶ କାର୍ଯ୍ୟ ଆରମ୍ଭ ହୋଇଛି। ସେବାୟତ ମାନେ ଶ୍ରୀଜିଉଙ୍କ ସୁନା ଗହଣା ଆଣିବା କାର୍ଯ୍ୟରେ ଦେଖିବାକୁ ମଳିଛି।
ଶ୍ରୀମନ୍ଦିର ପରମ୍ପରା ଅନୁସାରେ ବର୍ଷକୁ ୪ ଥର ସୁନା ବେଶ ହୋଇଥାଏ। ମନ୍ଦିର ଭିତରେ ୩ ଥର ହୋଇଥିବା ବେଳେ ବାହୁଡ଼ା ଯାତ୍ରା ପରେ ବଡ଼ ଦାଣ୍ଡରେ ଥରେ ସୁନାବେଶ ହୋଇଥାଏ। ରଥ ଉପରେ ହୋଇଥିବା ଏହି ସୁନା ବେଶ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଭକ୍ତମାନେ ବିଶ୍ୱାସ କରି ଆସିଛନ୍ତି। ଏହି ବେଶ ସମୟରେ ଶ୍ରୀଜିଉ ଆଡ଼କାନି, ଘାଗରା ମାଳି, କିରିଟି, ବାଘନଖ ଓ ପାନପତ୍ରି ଆଦି ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହେବେ। ଏହି ସବୁ ସୁନା ଅଳଙ୍କାର ପିନ୍ଧିବା ସହ ରୂପାରେ ତିଆରି ପଞ୍ଚଜନ୍ୟ ଶଙ୍ଖକୁ ଧାରଣ କରିବେ। ଆଜି ସୁନା ବେଶ ସରିବା ପରେ ଆସନ୍ତାକାଲି ହେବ ଅଧରପଣା ନୀତି। ତା’ପରଦିନ ହେବ ନିଳାଦ୍ରି ବିଜେ।