ବିଶ୍ବେଶ୍ବର କର୍ଣ୍ଣାଟକ ବିଧାନସଭାର ନୂଆ ବାଚସ୍ପତି

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାର ନୂତନ ବାଚସ୍ପତି ହେଲେ ବିଶ୍ବେଶ୍ବର ହେଗଡ଼େ କାଗେରୀ। ସେ ବିଜେପିର ଜଣେ ବରିଷ୍ଠ ନେତା। କାଗେରୀ ମଙ୍ଗଳବାର ଦିନ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିନା ପ୍ରତିଦ୍ବନ୍ଦୀରେ ବାଚସ୍ପତି ହୋଇଛନ୍ତି କାଗେରୀ। ସୋମବାର ଦିନ ରମେଶ କୁମାର ବାଚସ୍ପତି ପଦବୀରୁ ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ କାଗେରୀ ନିଜର ରାଜନୈତିକ ଜୀବନ ମଧ୍ୟରେ ସେ ୬ଥର ବିଧାୟକ ରହି ସାରିଛନ୍ତି। ସୋମବାର କର୍ଣ୍ଣାଟକ ବିଧାନସଭା ସଚିବାଳୟର ଜଣେ ଅଧିକାରୀ କହିଛନ୍ତି କି, ଆମକୁ କେବଳ ବିଶ୍ୱେଶ୍ୱର ରାଓ ହେଗଡେଙ୍କ ନାମାଙ୍କନ ପତ୍ର ମିଳିଛି। ତେବେ ରମେଶ କୁମାର ୧୪ ମାସ କାର୍ଯ୍ୟକାଳ ପରେ ସୋମବାର ଦିନ ବାଚସ୍ପତି ପଦବୀରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ-ଜେଡିଏସ୍ ମହାମେଂଟ ଭାଙ୍ଗିବା ପରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା। ସେହି ସମୟରେ ୟେଦୁୟୁରପ୍ପା ଗୃହରେ ନିଜର ବହୁମତ ସାବ୍ୟସ୍ତ କରି ସରକାର ଗଢିଛନ୍ତି।
କଗେରୀ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ ସକ୍ରିୟ ସଦସ୍ୟ ଥିଲେ। ଏହାପରେ ସେ ରାଜନୈତିକ ମଇଦାନରେ ଓହ୍ଲାଇଥିଲେ। କଗେରୀ ୧୯୯୪ରେ କର୍ଣ୍ଣାଟକର ଅଙ୍କୋଲା ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଏହାପରେ ତାଙ୍କର ରାଜନୈତିକ ଯାତ୍ରା କେବେ ଅଟକି ନଥିଲା। ସେ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷାମନ୍ତ୍ରୀ ଭାବରେ କାର୍ଯ୍ୟଭାର ସମ୍ଭାଳି ସାରିଛନ୍ତି।