Odisha Link
Bridging the Missing Links in Odisha

ବିପଦ ସଙ୍କେତ ତଳେ ରାଜ୍ୟର ସମସ୍ତ ନଦୀର ବନ୍ୟାଜଳ

ଭୁବନେଶ୍ବର : ମହାନଦୀର ଉପର ମୁଣ୍ଡରେ ବର୍ଷା କମିଥିବାରୁ ଏବେ ରାଜ୍ୟରେ ବଡ ବନ୍ୟା ଭୟ ଟଳିଯାଇଛି। ରାଜ୍ୟର ପ୍ରାୟ ସମସ୍ତ ନଦୀରେ ବନ୍ୟାଜଳ ବିପଦସଙ୍କେତ ତଳେ ପ୍ରବାହିତ ହେଉଛି। ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ପଶ୍ଚିମ ଓଡିଶାରେ ଏବଂ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ସମେତ ରାଜ୍ୟର ଅଧିକାଂଶ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଏବେ ନଦୀର ଜଳସ୍ତର କମିଛି। ସେହିପରି ଆସନ୍ତା ସାତ ଦିନ ଭିତରେ ବଡ ବର୍ଷାର ସମ୍ଭାବନା ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ।
ଉତ୍ତର ଓଡିଶା ଓ ଝାଡଖଣ୍ଡ ମଧ୍ୟରେ ସୃଷ୍ଟି ହୋଇଥିବା ଟ୍ରଫ ଲାଇନ୍ ଦୁର୍ବଳ ହୋଇଯାଇଥିବାରୁ ଏହାର ପ୍ରଭାବରେ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଯେଉଁ ବଡ ବର୍ଷା ହେବ ବୋଲି ଅନୁମାନ କରାଯାଉଥିଲା ତାହା ଏବେ ଟଳିଯାଇଛି । ଉତ୍ତର ପଶ୍ଚିମ ଓ ଦକ୍ଷିଣ ଓଡିଶାରେ କିଛି ସ୍ଥାନରେ ବର୍ଷା ହେଲେ ମଧ୍ୟ ତାହା ଏତେ ବିପଦଜନକ ହେବନି ବୋଲି କୁହାଯାଇଛି । ଅନ୍ୟପଟେ ବନ୍ୟା ବିପତି ଟଳିଯାଇଥିଲେ ମଧ୍ୟ ବିଭିନ୍ନ ଅଞ୍ଚଳରେ ଉଜୁଡି ଯାଇଛି ଶହ ଶହ ଏକର ଫସଲ ।

Comments are closed.