ଅଲଗା ହେବ +୨, +୩ : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଶିକ୍ଷାର ଉନ୍ନତିି ତଥା ଶିକ୍ଷାକ୍ଷେତ୍ରରେ ସଂସ୍କାର ଆଣି ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ନୂଆ ନୂଆ ବ୍ୟବସ୍ଥା କରାଯାଉଛି। ବିଗତ ଦିନମାନଙ୍କରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ଆଜି ପୁଣି ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ତାହା ହେଲା ଏଣିକି +୨ ଓ +୩କୁ ଅଲଗା କରାଯିବ। ଗୁରୁବାର ଅନୁଷ୍ଠିତ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇ କହିଛନ୍ତି ଯେ, ଆଜିର ବୈଠକରେ +୨ ଓ +୩କୁ ଅଲଗା କରିବାକୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଗୋଟିଏ କଲେଜରେ ଏକାଠି ମିଶିଥିବା +୨ ଓ +୩କୁ ଅଲଗା କରାଯିବ। ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ +୩ କଲେଜରେ ରହିବେ। +୨ କଲେଜ ପାଇଁ ନୂଆ ନିଯୁକ୍ତି କରାଯିବ। ଆସନ୍ତା ୩/୪ ବର୍ଷ ମଧ୍ୟରେ ନୂଆ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ। ଏବେ ଯେମିତି ଚାଲିଛି ସେମିତି ଚାଲିବ। ୩/୪ ବର୍ଷ ଭିତରେ ପ୍ରକ୍ରିୟା ସରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଆଜି ସଚିବାଳୟରେ ଶିକ୍ଷା ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଯୁକ୍ତ ୩ରୁ +୨ ଉଚ୍ଛେଦ, କର୍ମଚାରୀ ବଣ୍ଟନ ଓ ଭିତ୍ତିଭୂମି ପରିଚାଳନା ଉପରେ ଆଲୋଚନା କରାଯାଇଥିଲା। ସ୍କୁଲ ଓ ଗଣଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗର ମିଳିତ ବୈଠକରେ ଉଭୟ ବିଭାଗର ମନ୍ତ୍ରୀ, ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ବୈଠକରେ ଯୁକ୍ତ ୩ରୁ +୨ ଉଚ୍ଛେଦ କରିବା, ଉପଯୁକ୍ତ ବିଭାଗ ପାଇଁ କର୍ମଚାରୀ ବଣ୍ଟନ , ଜମି ସମସ୍ୟା ଓ ଭିତ୍ତିଭୂମିର ସଠିକ ପରିଚାଳନା ଉପରେ ଆଲୋଚନା କରାଯାଇଥିଲା।