ପୁରୀ ପାଇଁ ୫୦୦ କୋଟି

ଭୁବନେଶ୍ୱର : ପୁରୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଶହ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି। ପୁରୀରେ ଭିତିଭୂମିର ବିକାଶ, ରାସ୍ତା, ସେତୁ, ପାର୍କିଂ, ମୂଷା ନଦୀର ପୁନରୁଦ୍ଧାର, ମଠ ଓ ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ ଘୋଷଣା କରିଛନ୍ତି। ନିକଟରେ ଶ୍ରୀ ପଟ୍ଟନାୟକ ପୁରୀର ଭିତିଭୂମି ବିକାଶ ପାଇଁ ୨୬୫ କୋଟିର ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରିଥିଲେ।
୧. ଶ୍ରୀସେତୁ : ପୁରୀ ବାଇପାସ ମାଳତୀପୁର ଠାରୁ ଜଗନ୍ନାଥ ବଲ୍ଲଭ ମଠକୁ ଆଧୁନିକ ଟ୍ରମ୍ପେଟ ବା ଶ୍ରୀ ସେତୁ ଦ୍ୱାରା ସଂଯୋଗ କରାଯିବ। ଏଥିପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଜଗନ୍ନାଥ ବଲ୍ଲଭ ମଠରେ ଯାତ୍ରୀମାନେ ଏହାଦ୍ୱାରା ସିଧାସଳଖ ପହଁଚିପାରିବେ।
୨. ଜଗନ୍ନାଥ ବଲ୍ଲଭ ମଠର ବିକାଶ : ଜଗନ୍ନାଥ ବଲ୍ଲଭ ମଠରେ ବହୁତଳ ପାର୍କିଂ ସହିତ ଯାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ଯଥା; ୧୦ ହଜାର ଲୋକଙ୍କ ପାଇଁ ଧ୍ୟାନ କେନ୍ଦ୍ର ନିର୍ମାଣ କରାଯିବ। ଏହା ସହିତ ସେଠାରେ ଯାତ୍ରୀଙ୍କ ସୁବିଧା ପାଇଁ ଦୋକାନବଜାର କରାଯିବ । ଏଥିସକାଶେ ୧୮୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରହିଛି।
୩. ମୂଷା ନଦୀର ବିକାଶ : ମୂଷା ନଦୀର ପୁନରୁଦ୍ଧାର କରାଯାଇ ଏହାକୁ ମଙ୍ଗଳା ନଦୀ ସହିତ ସଂଯୋଗ କରାଯିବ। ମୂଷା ନଦୀର ପରିବେଶରେ ଉନ୍ନତି ଅଣାଯିବ ଏବଂ ସେଠାରେ ରିଭର ଫ୍ରଂଟ ଟୁ୍ୟରିଜିମର ବିକାଶ କରାଯିବ। ଏଥିପାଇଁ ୮୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।
୪. ଅଠରନଳା : ଐତିହାସିକ ଅଠରନଳାର ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ କରାଯିବ। ଏଥିପାଇଁ ଏଏସଆଇର ସହଯୋଗ ନିଆଯିବ। ସେଥିନିମନ୍ତେ ୫ କୋଟି ଟଙ୍କା ଖର୍ଚ୍ଚ ହେବ।
୫. ହ୍ରଦ : ପୁରୀ ଠାରେ ୨୮ ଏକର ଜମିରେ ଏକ ହ୍ରଦର ବିକାଶ କରାଯିବ। ଏଥିପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।
୬. ସୁରକ୍ଷିତ ଜୋନ ଓ ମଠ ପୁନରୁଦ୍ଧାର : ପୁରୀରେ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଆସୁଥିବା ମଠଗୁଡ଼ିକର ସ୍ଥାନାନ୍ତର କରାଯିବ। ସ୍ଥାନାନ୍ତର ହେଉଥିବ ମଠର କୀର୍ତି ଗୁଡ଼ିକର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ପୁରୀରେ ଥିବା ମଠଗୁଡ଼ିକୁ ଅବଢ଼ା ଯୋଜନାରେ ସରକାର ସହଯୋଗ ଯୋଗାଇଦେବେ।
୭. ଶ୍ରୀମନ୍ଦିର ନିରାପତା ଜୋନରେ ଆସୁଥିବା ଦୋକାନ ଓ ଘରଗୁଡ଼ିକୁ ସ୍ଥାନାନ୍ତରିତ କରାଯିବ। ଏଥିପାଇଁ ସରକାର ଦୋକାନ ପାଇଁ ଦୋକାନ ଏବଂ ଘର ପାଇଁ ଘର ଯୋଗାଇଦେବା ସହିତ ଥଇଥାନ ପ୍ୟାକେଜ ପ୍ରଦାନ କରିବେ।
୮. ପୁରୀରେ ଥିବା ତୀର୍ଥ ପୁଷ୍କରିଣୀ ଯଥା; ଶ୍ୱେତଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର ଓ ଇନ୍ଦ୍ରଦୁ୍ୟମ୍ନ ପୁଷ୍କରିଣୀଗୁଡ଼ିକର ପୁନରୁଦ୍ଧାର କରାଯିବ। ଐତିହ୍ୟସ୍ଥଳୀର ସଂରକ୍ଷଣ କରାଯିବ।
ଏସବୁ କାର୍ଯ୍ୟ ୨ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।