ଏମାର ମଠ ଉଚ୍ଛେଦ ବେଳେ ସାମ୍ନାକୁ ଆସିଲା ମାଟି ତଳ ଘର

ପୁରୀ : ପୁରୀରେ ଏମାର ମଠ ଉଚ୍ଛେଦ ବେଳେ ମାଟି ତଳେ ଥିବା ଏକ ଘରକୁ ଠାବ କରାଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି। ସ୍ଥାନୀୟ ଲୋକେ ଏହାକୁ ଭୂତଳ ଘର କହୁଥିବା ବେଳେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୁରୀର ପୁରୁଣା ମଠ ମଧ୍ୟରେ ରହିଛି ଏମାର ମଠ। କିଛି ବର୍ଷ ତଳେ ଏହି ମଠରେ ରୂପା ଇଟା ମିଳିଥିଲା। ଯାହାକୁ ନେଇ ଏମାର ମଠ ଚର୍ଚ୍ଚାରେ ରହିଥିଲା।
ସୂଚନା ଅନୁସାରେ, ଆଜି ସକାଳେ ଏମାର ମଠରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୪ ମହଲା ବିଶିଷ୍ଟ ମଠର ଉପର ମହଲାରୁ ପ୍ରଥମେ ଉଚ୍ଛେଦ ଆରମ୍ଭ ହୋଇଥିଲା। ଉଚ୍ଛେଦ ସ୍ଥଳରେ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଉଚ୍ଚ ଅଧିକାରୀ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଗତକାଲି ମଠ ପରିସରରେ ଥିବା ଦୋକାନ ଏବଂ ମଠର ସମସ୍ତ ସାମଗ୍ରୀ ସ୍ଥାନାନ୍ତର କରାଯାଇଥିଲା। ସେହିପରି ଉଚ୍ଛେଦ ହେବାକୁ ଥିବା ବ୍ରିଟିଶ୍ ଅମଳର ରଘୁନନ୍ଦନ ଲାଇବ୍ରେରୀର ମୂଲ୍ୟବାନ ପୁସ୍ତକ ଓ ନଥିପତ୍ର ସ୍ଥାନାନ୍ତର କାମ ମଧ୍ୟ ସରିଛି। ଏମାର ମଠ ସହ ଆହୁରି ୭ଟି ପୁରୁଣା ମଠ ଭଙ୍ଗାଯିବାକୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି।