Odisha Link
Bridging the Missing Links in Odisha

୪୦୦ ରେଳ ଷ୍ଟେସନରେ ମିଳିବ ମାଟିପତ୍ରରେ ଚା-ଲସି

ନୂଆଦିଲ୍ଲୀ: ପ୍ଲାଷ୍ଟିକମୁକ୍ତ ଅଭିଯାନକୁ ବ୍ୟାପକ କରିବାରେ ଲାଗିଛି ରେଳ ମନ୍ତ୍ରଣାଳୟ। ଫଳରେ ଏଣିକି ଦେଶରେ ଥିବା ରେଳ ଷ୍ଟେସନ ଓ ଟ୍ରେନରେ ମିଳିବ ମାଟି ପାତ୍ରରେ ଚା। କେବଳ ଚା ନୁହେଁ ବରଂ ମାଟିରେ ନିର୍ମିତ ପାତ୍ରରେ ଲସି ଓ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ମିଳିବ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ରେଳ ମନ୍ତ୍ରଣାଳୟ ପ୍ରଥମ ପର୍ଯ୍ୟାୟରେ ୪୦୦ ଷ୍ଟେସନରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଥିବା ସୂଚନା ରହିଛି। ଏହି ପଦକ୍ଷେପ ଦ୍ୱାରା ପରିବେଶ ଅନୁକୂଳ ସାମଗ୍ରୀକୁ ପ୍ରୋତ୍ସାହନ ମିଳିବା ସହ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଇହେବ। ଏହାସହ ମାଟି ପାତ୍ର ବ୍ୟବହାର କରାଯିବା ଦ୍ୱାରା କୁମ୍ଭାରମାନଙ୍କର ଆୟ ମଧ୍ୟ ବଢିବ ବୋଲି ଆଶା କରାଯାଉଛି।

ପ୍ରଥମ ପର୍ଯ୍ୟାୟରେ ୨ କୋଟି ମାଟିପାତ୍ର ପ୍ରସ୍ତୁତ କରାଯିବାର ଯୋଜନା କରାଯାଇଛି। ଏଠାରେ ସୂଚନା ଥାଉ କି ରେଳ ଷ୍ଟେସନ, ବିମାନ ବନ୍ଦର ଓ ବସ୍‌ଷ୍ଟାଣ୍ଡ୍‌ଗୁଡ଼ିକରେ ମାଟି ପାତ୍ରରେ ଚା’ ପରଷିବାକୁ ବାଧ୍ୟତାମୂଳକ କରିବା ଲାଗି କେନ୍ଦ୍ର ରେଳ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଏକ ପତ୍ର ଲେଖି ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଅନୁରୋଧ କରିଥିଲେ।

ସେ ଲେଖିଥିଲେ ଯେ, ୧୦୦ ରେଳ ‌ଷ୍ଟେସନ ସହିତ ବିମାନ ବନ୍ଦର ଓ ଚା’ ଷ୍ଟଲ୍‌ ଥିବା ବସ୍‌ ଷ୍ଟାଣ୍ଡ୍‌ଗୁଡ଼ିକ ଲାଗି ମାଟି ପାତ୍ର ବାଧ୍ୟତାମୂଳକ କରାଯାଉ। ଯାହାକୁ ରେଳ ମନ୍ତ୍ରୀ ସ୍ୱୀକୃତି ଦେଇଥିଲେ। ମା‌ଟି ପାତ୍ରରେ ଚା’ ଦେବା ଲାଗି ମଲ୍‌ଗୁଡ଼ିକୁ ମଧ୍ୟ ଉତ୍ସାହିତ କରାଯାଉ ବୋଲି ଗଡକରୀ ଅନୁରୋଧ କରିଥିଲେ। ମାଟି ପାତ୍ର ପରିବେଶ ଅନୁକୂଳ ହୋଇଥିବା ବେଳେ ଏହାର ବ୍ୟବହାର ବଢ଼ିଲେ ପ୍ଲାଷ୍ଟିକ୍ ଓ କାଗଜର ବ୍ୟବହାର ଆପେ କମିଯିବ ବୋଲି ପତ୍ରରେ ଉଲ୍ଲେଖ କରିଥିଲେ।

Comments are closed.