Odisha Link
Bridging the Missing Links in Odisha

ମୋଦିଙ୍କୁ ଭେଟିବା ପୂର୍ବରୁ ତାଙ୍କ ସ୍ତ୍ରୀଙ୍କୁ ଭେଟିଲେ ମମତା

କୋଲକାତା: ଆଜି ଅପରାହ୍ନରେ ନରେନ୍ଦ୍ର ମୋଦି ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ସାକ୍ଷାତ ହେବ। ଏହାରି ପୂର୍ବରୁ ମୋଦିଙ୍କୁ ଭେଟିବା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ ଯଶୋଦାବେନଙ୍କୁ ଭେଟିଛନ୍ତି। ଏହି ଅବସରରେ ପରସ୍ପର ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଭେଟଘାଟ ସମୟରେ ଯଶୋଦାବେନଙ୍କୁ ମମତା ବାନାର୍ଜୀ ଏକ ଶାଢ଼ୀ ଉପହାର ଦେଇଥିଲେ।

ଯଶୋଦାବେନ ଜଣେ ଅବସରପ୍ରାପ୍ତ ଶିକ୍ଷକ। ସେ ଝାଡ଼ଖଣ୍ଡର ଧାନବାଦରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଗୁଜରାଟ ଫେରୁଥିବା ବେଳେ କୋଲକାତାର ଆସାନଶୋଲରେ ଥିବା କଲ୍ୟାଣେଶ୍ୱେରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଯଶୋଦାବେନ। ଏହାପରେ ଗୁଜରାଟ ଯିବା ପାଇଁ କୋଲକାତା ବିମାନବନ୍ଦରରେ ପହଞ୍ଚିଥିଲେ। ସେହି ସମୟରେ ମମତା ମୋଦିଙ୍କୁ ସାକ୍ଷାତ କରିବା ପାଇଁ ଦିଲ୍ଲୀ ଯିବାକୁ କୋଲକାତା ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହି ସମୟରେ ମମତା ବାନାର୍ଜୀଙ୍କ ସହିତ ଯଶୋଦାବେନଙ୍କର ଭେଟ ହୋଇଥିଲା।

ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ଆଜି ପ୍ରଥମ ଥର ପାଇଁ ମମତା ବାନାର୍ଜୀ ମୋଦିଙ୍କୁ ଭେଟିବାକୁ ଯାଉଛନ୍ତି। ନିର୍ବାଚନ ବେଳେ ମୋଦି ଓ ମମତା ପରସ୍ପରକୁ ସମାଲୋଚନା କରୁଥିଲେ। ଏମିତିକି ମୋଦିଙ୍କ ଶପଥ ସମାରୋହ ପର୍ବକୁ ମଧ୍ୟ ମମତା ଆସିନଥିଲେ। ନିକଟରେ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ସଂଶୋଧିତ ମୋଟର ଯାନ ଆଇନକୁ ମମତା ସମାଲୋଚନା କରିଥିଲେ। ଏମିତିକି ପଶ୍ଚିମ ବଙ୍ଗରେ ଏହି ନୂଆ ଆଇନକୁ ଲାଗୁ କରିନଥିଲେ।

ମୋଦିଙ୍କ ସହ ଏହି ଭେଟଘାଟ ସମୟରେ ମମତା ପଶ୍ଚିମବଙ୍ଗର ପ୍ରସଙ୍ଗ ଏବଂ ଆର୍ଥିକ ସହାୟତା ଯୋଗାଇ ଦେବା ବାବଦରେ ଆଲୋଚନା କରିବେ। ଗତକାଲି ମୋଦିଙ୍କ ୬୯ତମ ଜନ୍ମଦିନ ଅବସରରେ ମମତା ବାନାର୍ଜୀ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

Comments are closed.