Odisha Link
Bridging the Missing Links in Odisha

ମାସକରେ ସରିବ ଅଯୋଧ୍ୟା ଶୁଣାଣି!

ନୂଆଦିଲ୍ଲୀ: ମାସକରେ ସରିବ ଅଯୋଧ୍ୟା ମାମଲା। ଅକ୍ଟୋବର ୧୮ ତାରିଖ ସୁଦ୍ଧା ଅଯୋଧ୍ୟା ଜମି ବିବାଦ ମାମଲାର ଚୂଡ଼ାନ୍ତ ଶୁଣାଣି ଶେଷ କରିବା ପାଇଁ ସବୁ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ। ଏହି ସମୟ ମଧ୍ୟରେ ମାମଲାର ପକ୍ଷମାନେ ନିଜ ନିଜ ଭିତରେ ଆପୋଷ ଆଲୋଚନା କରିବାକୁ କିମ୍ବା ମଧ୍ୟସ୍ଥଙ୍କ ଜରିଆରେ ବିବାଦ ତୁଟାଇବାକୁ ଉଦ୍ୟମ କରିବାକୁ ଚାହିଁଲେ କରିପାରିବେ ବୋଲି କହିଛନ୍ତି ସୁପ୍ରିମ କୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ନଭେମ୍ବର ୧୭ ତାରିଖରେ ଅବସର ଗ୍ରହଣ କରିବେ। ତେଣୁ ତା’ ପୂର୍ବରୁ ମାମଲାର ରାୟ ପ୍ରକାଶ ନପାଇଲେ ଶୁଣାଣି ପ୍ରକ୍ରିୟାର କୌଣସି ଅର୍ଥ ରହିବ ନାହିଁ। ପୁଣି ଥରେ ମାମଲାର ଶୁଣାଣି ହେବ ବା ମାମଲାର ସାନି ବିଚାର ହେବ। ଏହି ଦୃଷ୍ଟିକୋଣରୁ ବର୍ତ୍ତମାନ ଶୁଣାଣି କରୁଥିବା ପାଞ୍ଚ ଜଣିଆ ଖଣ୍ଡପୀଠର ମୁଖ୍ୟ ତଥା ପ୍ରଧାନ ବିଚାରପତି ରଂଜନ ଗୋଗୋଇ ଅକ୍ଟୋବର ୧୮ ତାରିଖକୁ ଚୂଡ଼ାନ୍ତ ଶୁଣାଣି ସମୟ ଧାର୍ଯ୍ୟ କରିଥିବା କୁହାଯାଉଥିବା ଗଣମାଧ୍ୟମରେ ପ୍ରକାଶିତ ହେଉଛି।

ଦେଶର ଏହି ପୁରୁଣା ମାମଲାର ଚୂଡ଼ାନ୍ତ ଫଇସଲା କରିବା ପାଇଁ ସୁପ୍ରିମକୋର୍ଟରେ ଏବେ ନିୟମିତ ଶୁଣାଣି ଚାଲିଛି। ଆଜି ଏହି ମାମଲାର ୨୬ତମ ଶୁଣାଣି ଦିନ ଥିଲା। ମାମଲାର ଶୁଣାଣି ବହୁ ଆଗକୁ ବଢ଼ି ସାରିଛି। ତେଣୁ ଶୁଣାଣି ବନ୍ଦ ହେବ ନାହିଁ। ତେବେ ବିବାଦର ପକ୍ଷମାନେ ଚାହିଁଲେ ପୁଣି ଥରେ ମଧ୍ୟସ୍ଥ ଜରିଆରେ ବିବାଦର ସମାଧାନ ଖୋଜି ପାରିବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ଜଷ୍ଟିସ ରଞ୍ଜନ ଗୋଗୋଇ ଆହୁରି କହିଛନ୍ତି ଅକ୍ଚୋବର ୧୮ ତାରିଖ ମଧ୍ୟରେ ରାମଜନ୍ମଭୂମି ମାମଲାର ଶୁଣାଣି ପାଇଁ ସମସ୍ତେ ପ୍ରୟାସ କରିବା ଦରକାର। ଶୁଣାଣି ଶେଷ ପରେ ରାୟ ଲେଖିବା ପାଇଁ ୪ ସପ୍ତାହ ସମୟ ଲାଗିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଯଦି ଉଭୟ ପକ୍ଷ ଏହି ମାମଲାର ସମାଧାନ ପାଇଁ ମଧ୍ୟସ୍ଥତା ପ୍ୟାନେଲ ବଦଳରେ ଅନ୍ୟ କିଛି ଉପାୟ ଆପଣାଇବା ପାଇଁ ଚାହିଁବେ ତାହେଲେ ନେଇପାରିବେ ବୋଲି ଜଷ୍ଟିସ ରଞ୍ଜନ ଗୋଗେଇ କହିଛନ୍ତି। ତେବେ ମଧ୍ୟସ୍ଥତା ପ୍ୟାନେଲ ଉଭୟ ପକ୍ଷଙ୍କ ସହ ଆଲୋଚନା କରିବା ବେଳେ ପୂର୍ବପରି ଗୋପନୀୟ ରହିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ୧୭ ନଭେମ୍ୱରରେ ଏହି ବିବାଦୀୟ ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି। ଆଉ ଏହି ଦିନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଅବସର ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

Comments are closed.