ବିଟ୍ କଏନ୍ ଠକେଇ ମାମଲା: ଗିରଫ ହେଲେ ଶଶିଭୂଷଣ

ଖୋର୍ଦ୍ଧା: ଗିରଫ ହେଲେ ଶହେ କୋଟି ଟଙ୍କାର ବହୁଚର୍ଚ୍ଚିତ ବିଟ୍ କଏନ୍ ଠକେଇ ମାମଲାର ଅନ୍ୟତମ ଅଭିଯୁକ୍ତ ଶଶିଭୂଷଣ ମିଶ୍ର। ଗତକାଲି ଖୋର୍ଦ୍ଧା ପୁଲିସ୍ ଗିରଫ କରିଛି। ଶଶିଭୂଷଣଙ୍କୁ କ୍ଷତିଗ୍ରସ୍ତ ଜମାକାରୀ କାବୁ କରି ପୁଲିସ୍ ଜିମା ଦେଇଥିଲେ।
ଶଶିଭୂଷଣ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମ୍ୟାଲେରିଆ ବିଭାଗର ଜଣେ କର୍ମଚାରୀ। ଏଥିସହ ଖୋର୍ଦ୍ଧା ଗାନ୍ଧି ପଡ଼ିଆ ନିକଟରେ ସେ ଏକ କମ୍ପ୍ୟୁଟର ସଂସ୍ଥା ଖୋଲି ଦୀର୍ଘ ଦିନ ହେଲା ବିଟ୍ କଏନ୍ ବ୍ୟବସାୟ ଚଳାଇ ଆସୁଥିଲେ। ସାଧାରଣ ଲୋକଙ୍କଠାରୁ ସେ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା। ଗିରଫ ପରେ ଖୋର୍ଦ୍ଧା ପୁଲିସ୍ ଶଶିଭୂଷଣଙ୍କୁ ଜଟଣୀ କମିଶନରେଟ୍ ପୁଲିସ୍କୁ ହସ୍ତାନ୍ତର କରିଛି। ଏହି ବହୁ କୋଟି ଟଙ୍କା ଠକେଇ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ସାଇବର ସେଲ୍କୁ ଏ ସଂକ୍ରାନ୍ତରେ ପୁଲିସ୍ ସୂଚନା ଦେଇଛି।