Odisha Link
Bridging the Missing Links in Odisha

୨୦ ଖଣି ନିଲାମ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟ ସରକାର ୨୦ଟି ଲୁହାପଥର ଓ ମାଙ୍ଗାନିଜ ଖଣି ନିଲାମ ପାଇଁ ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି। ସେଥି ମଧ୍ୟରୁ ଶୁକ୍ରବାର ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ୧୦ଟି ଲୁହାପଥର ଓ ମାଙ୍ଗାନିଜ ଖଣି ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅବଶିଷ୍ଟ ଖଣିର ବିଜ୍ଞପ୍ତି ଆସନ୍ତା ୧୪ ତାରିଖ ମଧ୍ୟରେ ପ୍ରକାଶ କରାଯିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେଥିରୁ ୧୨ଟି ଲୁହାପଥର, ୨ଟି ମାଙ୍ଗାନିଜ ଏବଂ ୬ଟି ଲୁହାପଥର ଓ ମାଙ୍ଗାନିଜ  ଖଣି ଦୁଇଟି ପର୍ଯ୍ୟାୟରେ ନିଲାମ ହେବ। ଲେଟର ଅଫ ଇଣ୍ଟେଣ୍ଟ ୨୦୨୦ ଜାନୁୟାରୀ ୪ରୁ ୧୪ ତାରିଖ ମଧ୍ୟରେ ପଠାଯିବ ବୋଲି ସୂଚନା ମିଳିଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୭ଟି ଲୁହାପଥର ଏବଂ ୩ଟି ଲୁହାପଥର ଓ ମାଙ୍ଗାନିଜ ଖଣିର ନିଲାମ ହେବ। ସେହି ଖଣିଗୁଡିକ ହେଲା ନୂଆଗାଁ, ଠାକୁରାଣୀ, ଜିଲିଙ୍ଗ, ଝରିବାହାଲ, ରୋଇଡା-୨, ଜୁରୁରୀ, ଗଣୁଆ ଲୁହାପଥର ଖଣି ଏବଂ ସିଲଝୋରା-କାଳିମାଟି, ନାରାୟଣପୋଷି ଓ ମହୁଲସୁଖ ଲୁହାପଥର ଓ ମାଙ୍ଗାନିଜ ଖଣି। ପ୍ରତ୍ୟେକ ଟେଣ୍ଡର ଫି’ ୫ ଲକ୍ଷ ରଖାଯାଇଛି।
କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ ୨୦୧୫ରେ ଖଣି ଆଇନକୁ ସଂଶୋଧନ କରି ସମସ୍ତ ଖଣିକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଦେଶର ୩୨୯ଖଣିର ଲିଜ୍‌ ଅବଧି ଶେଷ ହେଉଛି। ଏହି ସମୟ ମଧ୍ୟରେ ଓଡିଶାରୁ ୨୪ଟି ଖଣିର ଅବଧି ମଧ୍ୟ ଶେଷ ହେଉଛି। ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ୨ଟି କ୍ରୋମାଇଟ ଖଣି ପାଇଁ ବିଜ୍ଞପ୍ତି ପ୍ରକାଶ କରି ସାରିଛନ୍ତି। ତେବେ ଓଡିଶା ଖଣି ନିଗମର ସୁକିନ୍ଦା କ୍ରୋମାଇଟ ଖଣିକୁ ଟାଟା ଷ୍ଟିଲ୍‌ ପାଇଁ ରଖାଯାଇଛି।

Comments are closed.