ମାତିଲେ ଲୁଟେରା

ସୋର: ବାଲେଶ୍ବର ସୋର ଅଞ୍ଚଳରେ ମାତିଛନ୍ତି ଲୁଟେରା। ବିଭିନ୍ନ ସ୍ଥାନରେ ସିରିଜ୍ ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଗତକାଲି ରାତିରେ ଗୋପାଳପୁର ସାଇ ଅଟୋମୋବାଇଲ ଫାଇନାନ୍ସର ମନୋଜ ମହାନ୍ତି ବାଇକ୍ ଯୋଗେ ନିଜ ଗ୍ରାମ ସାରୁପଦା ଫେରୁଥିବା ବେଳେ ୧୬ ନଂ ଜାତୀୟ ରାଜପଥ ଛଅପୋଲିଆଠାରେ ୩ଜଣ ଲୁଟେରା ମନୋଜଙ୍କ ବାଇକ୍ ଅଟକାଇଥିଲେ। ବନ୍ଧୁକ ଓ ଭୁଜାଲି ଦେଖାଇ ୨୧ହଜାର ଟଙ୍କା ସହ ମୋବାଇଲ ଛଡାଇ ନେଇଛନ୍ତି।
ସେହିପରି ବାଲେଶ୍ବରରୁ ଭଦ୍ରକ ଯାଉଥିବା ରାଜସ୍ଥାନ ମାର୍ବଲ ବ୍ୟବସାୟୀ ଦିନେଶ କୁମାରଙ୍କ ବାଇକ୍ ଅଟକାଇ ବନ୍ଧୁକ ଓ ଭୁଜାଲି ଦେଖାଇ ୫ ଲୁଟେରା ତାଙ୍କଠାରୁ ୧୪ ହଜାର ଟଙ୍କା ମୋବାଇଲ ଛଡାଇ ନେଇଛନ୍ତି। ପୋଲିସ ଉଭୟ ଘଟଣାର ତଦନ୍ତ କରି ସୋର କୁପାରି ରାସ୍ତା ନଦୀ ଗାଁଠାରେ ଏକ ବାଇକ୍ ଜବତ କରିଛି। ଛିନତାଇ ଘଟଣାରେ ସୋର ପୋଲିସ ଛାନଭିନ୍ କରିଥିଲେ ମଧ୍ୟ ଲୁଟେରାଙ୍କ ଟେର ପାଇନି।
ବୁଧବାର ରାତିରେ ମଧ୍ୟ ଦୟାବନ୍ଧ ଠାରେ ମା’ ମଙ୍ଗଳା ଗହଣା ଦୋକାନ ମାଲିକ ପ୍ରଶାନ୍ତ ନାୟକ ଓ ସୁଶାନ୍ତ ବାରିକଙ୍କଠାରୁ ବନ୍ଧୁକ ଦେଖାଇ ୨୫ ହଜାର ଟଙ୍କା, ମୋବାଇଲ ଓ ୮୦ ହଜାର ଟଙ୍କାର ସୁନା ହାର ଲୁଟ୍ କରିଥିଲେ ଦୁର୍ବୃତ୍ତ। ଗତକାଲି ରାତିରେ ପୁଣି ଦୁଇଟି ଛିନତାଇ ହେବାରୁ ପୋଲିସ ପାଇଁ ମୁଣ୍ଡ ବିନ୍ଧା ବଢି ଯାଇଛି।