ଆତିଥ୍ୟରେ ମୁଁ ଅଭିଭୂତ: ଜିନ୍ପିଙ୍ଗ

ଚେନ୍ନାଇ: ଭାରତକୁ ଆସି ମୁଁ ବହୁତ ଖୁସି। ଏଥିସହିତ ଆପଣଙ୍କ ଆତିଥ୍ୟରେ ମୁଁ ଅଭିଭୂତ। ଏହା ମୁଁ ଏବଂ ମୋର ସାଥୀମାନଙ୍କ ପାଇଁ ସ୍ମରଣୀୟ ଅନୁଭୂତି ହୋଇ ରହିବ। ଏପରି କହିଛନ୍ତି ଚାଇନା ରାଷ୍ଟ୍ରପତି ଜି ଜିନ୍ପିଙ୍ଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମାମଲାପୁରମରେ ଅନୁଷ୍ଠିତ ଅନୌପଚାରିକ ବୈଠକରେ ଯୋଗଦେବା ଅବସରରେ ଏହା କହିଛନ୍ତି ଜିନ୍ପିଙ୍ଗ।
ବୈଠକରେ ଜିନପିଙ୍ଗ କହିଥିଲେ ଯେ, ଗତକାଲି ମଧ୍ୟ ଆମେ ଅତ୍ୟନ୍ତ ସହୃଦୟ ଭାବେ କଥା ହୋଇଥିଲେ। ଦୁଇ ଭଲ ବନ୍ଧୁ ଭାବେ ଆମେ ଦ୍ବିପାକ୍ଷିକ ସମ୍ପର୍କ ନେଇ କଥା ହୋଇଥିଲେ। ଭାରତ ଏବଂ ଚୀନ ଦୁଇ ଗୁରୁତ୍ଵପୂର୍ଣ୍ଣ ପଡ଼ୋଶୀ। ଏଭଳି ଆଲୋଚନା ଆହୁରି ଅଧିକ ହେବା ଦରକାର ବୋଲି ଜିନପିଙ୍ଗ କହିଥିଲେ।
ବୈଠକରେ ମୋଦି କହିଥିଲେ ଯେ, ବର୍ତ୍ତମାନ ଭାରତ ଏବଂ ଚୀନ ଦୁଇ ଅର୍ଥନୈତିକ ସୁପର ପାୱାର। ପୂର୍ବ ବୈଠକରେ ଆମେ ଭଲ ସମ୍ପର୍କ ରଖିବାକୁ କଥା ହୋଇଥିଲେ। ୟୁହାନ ବୈଠକରେ ଦୁଇ ଦେଶ ସୌହାର୍ଦ୍ଦ୍ୟ ସମ୍ପର୍କ ରଖିବେ ବୋଲି କହିଥିଲେ। ମତଭେଦକୁ ମ୍ୟାନେଜ କରି ଆମ ସମ୍ପର୍କ ଆଗକୁ ବଢ଼ିବ ବୋଲି କହିଥିଲୁ। ଦୁଇ ଦେଶ ମଧ୍ୟରେ ବ୍ୟବସ୍ଥାଗତ ସମନ୍ବୟ ବଢ଼ିଛି। ଆଜିର ଚେନ୍ନାଇ କନେକ୍ଟ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବଢ଼ିବ। ଆଜିର ବୈଠକ ଦ୍ବିପାକ୍ଷିକ ସମ୍ପର୍କରେ ନୂଆ ଯୁଗ ଆଣିବ ବୋଲି ମୋଦି କହିଥିଲେ।