Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ମନ୍ତ୍ରିମଣ୍ଡଳକୁ ନେଇ ଛିଣ୍ଡୁନି ଅଙ୍କ, ଶିବସେନା କହିଲା..

ମୁମ୍ବାଇ: ଦିନକୁ ଦିନ ଜମୁଛି ମହାରାଷ୍ଟ୍ର ରାଜନୀତି। କେତେବେଳେ କଣ ହେଉଛି କାହାକୁ ବି ଜଣା ନାହିଁ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ମହାରାଷ୍ଟ୍ରରେ ବିଜେପି-ଶିବସେନା ବିବାଦ ଥମିବା ପରେ ଆଉ ଏକ ବିବାଦ ତେଜିଛି। ଏବେ ମନ୍ତ୍ରିମଣ୍ଡଳରେ ଦୁଇ ଦଳର ସଂଖ୍ୟାକୁ ନେଇ ବିବାଦ ତେଜିଛି। ସରକାର ଗଢ଼ିବା ପାଇଁ ଦୁଇ ଦଳ ସହମତି ପ୍ରକାଶ କରିଥିବାବେଳେ ମନ୍ତିମଣ୍ଡଳକୁ ନେଇ ଦଳ ଦଳ ପ୍ରସ୍ତାବ ରଖିଛନ୍ତି। ହେଲେ ଶିବସେନା ଯେତିକି ମନ୍ତ୍ରିପାଇଁ ଦାବି କରୁଛି ସେଥିରେ ବିଜେପି ରାଜି ହେଉ ନାହିଁ। ଯାହାକୁ ନେଇ ପୁଣି ଶିବସେନା ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି।

୨୮୮ ବିଧାନସଭା ଆସନ ବିଶିଷ୍ଟ ମହାରାଷ୍ଟରେ ସର୍ବାଧିକ ୪୩ ଜଣ ମନ୍ତ୍ରୀ ରହିବାର ବ୍ୟବସ୍ଥା ରହିଛି। ହେଲେ ଶିବସେନା ୨୧:୧୮:୦୪ ଫର୍ମୁଲାରେ ସରକାର ଗଢ଼ିବା ପାଇଁ ପ୍ରସ୍ତାବ ଦେଇଛି। ଅର୍ଥାତ୍ ବିଜେପିର ୨୧, ଶିବସେନାର ୧୮ ଏବଂ ସହଯୋଗୀ ଦଳର ୪ ଜଣ ମନ୍ତ୍ରୀମଣ୍ଡଳରେ ରହିବେ।

ଏଥିସହ ଶିବସେନା ବଡ଼ ବଡ଼ ବିଭାଗ ପାଇଁ ଦାବି କରିଛି। ହେଲେ ଶିବସେନାର ୧୪ଜଣ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବାକୁ ବିଜେପି ରାଜି ହୋଇଛି। ଯାହାକୁ ନେଇ ଶିବସେନା ଏବେ ଅସନ୍ତୋଷ ପ୍ରକାଶ କରିଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିସାରିଛନ୍ତି ଯେ ଗୃହ ଏବଂ ନଗର ଉନ୍ନୟନ ବିକାଶ ବିଭାଗର ଦାୟିତ୍ୱ ନିଜ ଦଳ ପାଖରେ ରହିବ।

ପ୍ରତିବଦଳରେ ବିଜେପି ଶିବସେନାକୁ ଅର୍ଥମନ୍ତ୍ରୀ ଏବଂ ପିଡବ୍ଲ୍ୟୁଡି ବିଭାଗ ଦେବ ବୋଲି ଚିନ୍ତା କରୁଛି। ହେଲେ ଦଳର କିଛି ବରିଷ୍ଠ ନେତା ଏହାକୁ ବିରୋଧ କରୁଥିବା ଜଣାପଡ଼ିଛି। ତେବେ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଶିବସେନାକୁ ପ୍ରସ୍ତାବ ଦେଇସାରିଛି ବିଜେପି।

Comments are closed.