ଶିକ୍ଷକଙ୍କ ମାଡରେ ଦୁଇ ଛାତ୍ରୀ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁସାରେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଥିବା ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଅଲେଖ ପ୍ରଧାନ ଗତକାଲି ପାଞ୍ଚ ଜଣ ଛାତ୍ରୀଙ୍କୁ ମାଡ ମାରିଥିବାର ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀ ହୋଇଥିବା ବେଳେ ତିନି ଜଣ ନବମ ଶ୍ରେଣୀର ଛାତ୍ରୀ ବୋଲି ଜଣା ପଡିଛି। ଇଂରାଜୀ ଶିକ୍ଷକ ଅଲେଖ ପ୍ରଧାନ ଛାତ୍ରୀଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ହେଲେ ଛାତ୍ରୀ ମାନେ ଏହାର ଉତ୍ତର ଦେଇ ପାରିନଥିବାରୁ ପାଠ ପଢାରେ ଅବହେଳା ଯୋଗୁଁ ଏପରି କରିଥିବା ପ୍ରଧାନ ଶିକ୍ଷକ କହିଛନ୍ତି। ମାଡ ଖାଇଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇ ଜଣ ଛାତ୍ରୀ ଗୁରୁତର ହେବାରୁ ସେମାନଙ୍କୁ ବାଲିମେଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ କୁନି ଗୋଲୋରୀ ନାମକ ଅନ୍ୟ ଜଣେ ଛାତ୍ରୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମାଲକାନଗିର ଜିଲ୍ଲା ସଦର ଚିକିତ୍ସାଳୟକୁ ନିଆଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଥିବା ଜଣା ପଡିଛି।