ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ପଶ୍ଚିମ ଓଡିଶା ଚାଷୀଙ୍କ ଆନ୍ଦୋଳନ

ସମ୍ବଲପୁର: ଧାନ ବିକ୍ରି ପାଇଁ ସରକାର ପକ୍ଷରୁ ହୋଇଥିବା ଟୋକନ୍ ବ୍ୟବସ୍ଥା ନିଷ୍ପତ୍ତିକୁ ଚାଷୀ ବିରୋଧ କରିଛନ୍ତି। ପଶ୍ଚିମ ଓଡିଶାର ବିଭିନ୍ନ ମଣ୍ଡିରେ ଖୋଲା ଆକାଶ ତଳେ ଗଦା ହୋଇଛି ଶହ ଶହ ବସ୍ତା ଧାନ। ଆଜି ପଶ୍ଟିମ ଓଡିଶାର ୪ଟି ଜିଲ୍ଲାର ବିଧାୟକଙ୍କ ଘର ସମ୍ମୁଖରେ ଧାନ ରଖି ପ୍ରତିବାଦ କରିଛନ୍ତି ଚାଷୀ। ଧାନ ବିକ୍ରି ହୋଇ ପାରୁନଥିବାରୁ ସୋମବାର ଚାଷୀ ଟ୍ରାକ୍ଟରରେ ଧାନ ଆଣି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ। ଆଜି ବି ଜିଲ୍ଲାପାଳଙ୍କ ବାସଭବନ କାର୍ଯ୍ୟାଳୟ ଆଗରେ ଧାନ ଗାଡି ରଖି ଘେରାଉ କରିଛନ୍ତି। ଏପରିକି ଟ୍ରାକ୍ଟର ସହ ଜିଲ୍ଲାପାଳଙ୍କ ଅଫିସରେ ପଶିବାକୁ ଚାଷୀ ଉଦ୍ୟମ କରିବାରୁ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା।
ପୂର୍ବରୁ ଚାଷୀ ବିଭିନ୍ନ ସୋସାଇଟି, ଲ୍ୟାମ୍ପରେ ପ୍ରୋକ୍ୟୁରମେଣ୍ଟ ପାସ୍ ଜରିଆରେ ଧାନ ବିକ୍ରି କରୁଥିଲା। ଚାଷୀ କେତେ ଧାନ ବିକିବେ ସେନେଇ କୌଣସି ନିର୍ଦ୍ଧିଷ୍ଟ ସୀମା ନଥିଲା। ଏବେ କିନ୍ତୁ ଚାଷୀ ଅନଲାଇନରେ ରେଜିଷ୍ଟ୍ରେସନ୍ କରିବା ପରେ ଯାଇ ଟୋକନ୍ ମିଳୁଛି ଏବଂ ଜଣେ ଚାଷୀ କେବଳ ୧୩ କ୍ବିଣ୍ଟାଲ୍ ଧାନ ବିକ୍ରି କରିବାର ବ୍ୟବସ୍ଥା ରହିଛି। ଯାହାକୁ ଚାଷୀ ବିରୋଧ କରୁଛନ୍ତି।
ବିଧାନସଭାରେ ମଧ୍ୟ ଗତକାଲି ଏହି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ। ଧାନ କିଣାରେ ଟୋକନ ବ୍ୟବସ୍ଥା ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବୈଠକ ଡାକିଥିଲେ। ଚାଷୀଙ୍କ ସ୍ବାର୍ଥକୁ ଦେଖି ପଦକ୍ଷେପ ନିଆଯିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।