ବ୍ୟାଙ୍କ ଅଫ୍ ଇଣ୍ଡିଆର ୨୦୦ କୋଟି ଋଣ ମଞ୍ଜୁର

ଭୁବନେଶ୍ବର : ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ) ପକ୍ଷରୁ ଆଜି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ (ୟୁସିସିଆଇ) ପରିସରରେ ଆୟୋଜନ କରାଯାଇଥିବା ‘ହର୍ ଘର୍ ଦସ୍ତକ’ କାର୍ଯ୍ୟକ୍ରମରେ ୨୦୦ କୋଟି ଟଙ୍କାର ଋଣ ମଞ୍ଜୁରି ପତ୍ର ପ୍ରଦାନ କରାଯାଇଛି। ଖୁଚୁରା, କୃଷି ଏବଂ ଏମ୍ଏସ୍ଏମ୍ଇ ବର୍ଗରେ ଏହି ଋଣ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ କଟକ ଓ ଭୁବନେଶ୍ବରେ ଥିବା ବ୍ୟାଙ୍କର ୩୦ଟି ଶାଖାର ମୁଖ୍ୟ ଓ ଶତାଧିକ ଗ୍ରାହକ ଅଂଶଗ୍ରହଣ କରିଥିଲେ। ନୂତନ ଋଣ ମଞ୍ଜୁର କରାଯିବା ସହିତ ଏନ୍ପିଏ ହୋଇଯାଇଥିବା କିଛି ଗ୍ରାହକଙ୍କ ଖାତାର ଆପୋଷ ବୁଝାମଣା ଜରିଆରେ ଫଇସଲା କରାଯାଇଥିଲା।
ଭୁବନେଶ୍ବର ଅଞ୍ଚଳର ବିଭିନ୍ନ ଶାଖା ମାଧ୍ୟମରେ ୨୦୦ରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚ୍ଜି)ଙ୍କୁ ଋଣ ମଞ୍ଜୁର କରାଯାଇଥିଲା। ବ୍ୟାଙ୍କ ପକ୍ଷରୁ ଏଡିସି-ପିଓଏସ୍-ଆର୍ଥିକ ଅନ୍ତଭୁର୍କ୍ତୀକରଣ ପଦକ୍ଷେପ ସହ ୩୭ଟି ଗ୍ରାମକୁ ଡିଜିଟାଲ୍ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ଭୁବନେଶ୍ବର ଅଞ୍ଚଳର ପ୍ରବନ୍ଧକ ୱାଇ ଏନ୍ ଦ୍ବିବେଦୀ, ଉପ-ଆଞ୍ଚଳିକ ପ୍ରବନ୍ଧକ ଭରତ ବରାଡ ଓ ବିମଳ ତ୍ରିପାଠୀ ଯୋଗ ଦେଇଥିଲେ। ଆଗାମୀ ଦିନରେ ବ୍ୟାଙ୍କ ଏହି କାର୍ଯ୍ୟକ୍ରମକୁ ଏହାର ୧୧୭ଟି ଶାଖାରେ ଆୟୋଜନ କରିବାକୁ ଯୋଜନା ରଖିଛି।