Odisha Link
Bridging the Missing Links in Odisha

ଏଥର ସାଇକଲରେ ଅଫିସ ଆସିବେ ବାବୁ

ଭୁବନେଶ୍ବର: ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌), ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ସମସ୍ତ କର୍ମଚାରୀ ଏଣିକି ସପ୍ତାହରେ ଗୋଟିଏ ଦିନ ସାଇକଲରେ କିମ୍ବା ଚାଲି ଚାଲି ଅଫିସ୍ ଆସିବା ବାଧ୍ୟତାମୂଳକ କରାଯାଇଛି। ତିନିଟି ଅନୁଷ୍ଠାନର ପରିଚାଳକ ଥିବା ପ୍ରେମଚନ୍ଦ୍ର ଚୌଧାରୀ ଏନେଇ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦେଶ ଜାରି କରିଛନ୍ତି। ରାଜ୍ୟରେ ଏପରି ପ୍ରୟାସ ପ୍ରଥମ ବୋଲି କୁହାଯାଉଛି। ସମଗ୍ର ବିଶ୍ବ ଏବେ ବାୟୁ ପ୍ରଦୂଷଣକୁ ନେଇ ଘୋର ସଙ୍କଟ ମଧ୍ୟରେ ଗତି କରୁଛି।
ବିଳାସପୂର୍ଣ୍ଣ ଜୀବନଶୈଳୀ ଯୋଗୁଁ ନିର୍ମଳ ପବନ ବଦଳରେ ବିଷ ବଳୟ ସୃଷ୍ଟି ହେଉଛି। ପ୍ରଦୂଷଣର ପ୍ରମୁଖ କାରଣ ସାଜିଥିବା ଅତ୍ୟଧିକ ଯାନବାହନ ଚଳାଚଳ ଉପରେ ନିୟନ୍ତ୍ରଣ ଆସିପାରୁ ନାହିଁ। ଭୁବନେଶ୍ବରରେ ସାର୍ବଜନୀନ ପରିବହନ ବ୍ୟବସ୍ଥା ଥିଲେ ମଧ୍ୟ ତାହା ରାସ୍ତାରେ ଗାଡ଼ି ସଂଖ୍ୟା କମାଇରେ ବିଶେଷ ସହାୟକ ହେଉନାହିଁ। ଏପରିସ୍ଥଳେ ରାଜଧାନୀର ତିନି ପ୍ରମୁଖ ସରକାରୀ ଅନୁଷ୍ଠାନର କର୍ମଚାରୀଙ୍କୁ ପ୍ରତି ଶୁକ୍ରବାର ସାଇକଲରେ କିମ୍ବା ଚାଲି ଚାଲି ଅଫିସ୍ ଆସିବା ଓ ଯିବା ପାଇଁ କୁହାଯାଇଛି। ଆସନ୍ତା ଶୁକ୍ରବାର ଠାରୁ ଏହି ନିୟମ କାର୍ଯ୍ୟକାରୀ ହେବ। ଏହି ଦିନ ମୋଟର ଯାନରେ ଅଫିସ୍ ଆସୁଥିବା ଦେଖିବାକୁ ମିଳିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତିନିଟି ଅଫିସ୍‌ରେ କାମ କରୁଥିବା ଛୋଟ ବଡ଼ ସବୁ ଅଧିକାରୀ, ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ, ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି। ବିଏସ୍‌ସିଏଲ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ଭୁବନେଶ୍ବରରେ ବର୍ତ୍ତମାନ ବାୟୁ ପ୍ରଦୂଷଣ ସ୍ତର ଚିନ୍ତାଜନକ ସ୍ଥିତି ଆଡ଼କୁ ଅଗ୍ରସର ହେଉଛି। ଏବେଠାରୁ ଯଦି ଆମେ ସମସ୍ତେ ଉଦ୍ୟମ ଆରମ୍ଭ ନକରିବା ତେବେ ପରିସ୍ଥିତି ଅଣାୟତ୍ତ ହେବା ପାଇଁ ବେଶି ଦିନ ଲାଗିବ ନାହିଁ। ତେଣୁ ସରକାରୀ ଅନୁଷ୍ଠାନ ଭାବେ ଆମର ତିନିଟି ବିଭାଗର କର୍ମଚାରୀଙ୍କ ପାଇଁ ସପ୍ତାହରେ ଗୋଟିଏ ଦିନ ସାଇକଲରେ ଅଫିସ୍ ଯିବା ଆସିବା ପାଇଁ କୁହାଯାଇଛି। ଏହା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ। ଜନସାଧାରଣ ମଧ୍ୟ ଅନ୍ତତଃ ଗୋଟିଏ ଦିନ ମୋଟର ଯାନ ଛାଡ଼ି ସାଇକଲରେ ଯିବା ଆସିବା କରିବା ଉଚିତ ବୋଲି ସେ କହିଛନ୍ତି।

Comments are closed.