ସିଏଏକୁ ବିରୋଧ କରି ବିହାର ବନ୍ଦ

ପାଟନା: ଅଣ ମୁସଲିମମାନଙ୍କୁ ଭାରତର ନାଗରିକତା ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଆଜି ଆରଜେଡି ପକ୍ଷରୁ ବିହାର ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ସାଧାରଣ ଲୋକ ମଧ୍ୟ ସମର୍ଥନ କରିଛନ୍ତି। ପାଟନାଠାରୁ ଆରମ୍ଭ କରି ଭାଗଲପୁର, ବେଗୁସରାଇ ଓ ଦରଭଙ୍ଗା ଭଳି ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଏଠାରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ଠପ ହୋଇଯାଇଛି। ଆନ୍ଦୋଳନକାରୀମାନେ ହାତରେ ସିଏଏ ଓ କେନ୍ଦ୍ର ବିରୋଧୀ ପୋଷ୍ଟର ଧରି ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତା ରୋକ କରିବା ଦେଖିବାକୁ ମିଳିଛି।
ଆରଜେଡିର ଏହି ବନ୍ଦ ଡାକରାରେ ବିକାଶଶୀଳ ଇନସାନ ପାର୍ଟି ମଧ୍ୟ ସାମିଲ ହୋଇଛି। ବୈଶାଳୀରେ ଆରଜେଡି କର୍ମୀମାନେ ମଇଁଷି ଜରିଆରେ ରାସ୍ତାରୋକ କରିଛନ୍ତି। ଦରଭଙ୍ଗାର ଓ ବୈଶାଳୀ ରାସ୍ତାରେ ଶତାଧିକ ମଇଁଷି ରହିଥିବାରୁ ଯାତାୟାତ ଠପ ହୋଇଯାଇଛି। ସେହିପରି ଦରଭଙ୍ଗାରେ ଶତାଧିକ ଆରଜେଡି କର୍ମୀ ଖୋଲା ଦେହରେ ଶୋଭାଯାତ୍ରା କରି କେନ୍ଦ୍ର ଓ ସିଏଏ ବିରୋଧରେ ନାରାବାଜି କରିଛନ୍ତି। ଆନ୍ଦୋଳନକାରୀମାନେ ରେଳ ଧାରଣାରେ ବସି ରହିବାରୁ ଟ୍ରେନ ଚଳାଚଳ ସମଗ୍ର ବିହାରରେ ପ୍ରଭାବିତ ହୋଇଛି।