୮୦ ଦିନରେ ଗାଁ ହେଲା ପ୍ଲାଷ୍ଟିକ ମୁକ୍ତ

ଭୋପାଳ: ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନର ୮୦ ଦିନ ଭିତରେ ନିଜକୁ ପ୍ଲାଷ୍ଟିକ ମୁକ୍ତ ଗାଁ ଭାବେ ଘୋଷଣା କରିଛି ମଧ୍ୟପ୍ରଦେଶର ସିନ୍ଦୋଡା ଗାଁ। ଏହି ଗାଁଟି ମଧ୍ୟପ୍ରଦେଶର ବ୍ଲୁ ଭିଲେଜ ଭାବେ ଜଣାଶୁଣା। ମାତ୍ର ୮୦ ଦିନରେ ପ୍ଲାଷ୍ଟିକ ମୁକ୍ତ ହୋଇ ଅନ୍ୟମାନଙ୍କ ପାଇଁ ପାଲଟିଛି ଉଦାହରଣ। ଗ୍ରାମପଞ୍ଚାୟତ ଓ ଗ୍ରାମବାସୀଙ୍କ ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି।
ଇନ୍ଦୋରରେ ଅବସ୍ଥିତ ଥିବା ସିନ୍ଦୋଡା ଗାଁ। ଯାହା ଇନ୍ଦୋର ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ। ଏହା ବ୍ଲୁ ଭିଲେଜ ଭାବେ ବେଶ୍ ଜଣାଶୁଣା। କାରଣ ଗାଁରେ ଆପଣ ଯୁଆଡେ ବି ଚାହିଁବେ କେବଳ ନୀଳ ରଙ୍ଗର ଘର ହିଁ ଦେଖାଯିବ। ନୀଳରଙ୍ଗର ଅର୍ଥ ପ୍ଲାଷ୍ଟିକ ମୁକ୍ତ ବୋଲି କୁହନ୍ତି ଗାଁ ଲୋକେ। କେବଳ ସେତିକି ନୁହେଁ, ବିଭିନ୍ନ କାନ୍ଥରେ ପ୍ଲାଷ୍ଟିକ ବିରୋଧୀ ସ୍ଲୋଗାନ ମଧ୍ୟ ଦେଖିବାକୁ ମିଳିଥାଏ।
ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଗାଁକୁ ପ୍ଲାଷ୍ଟିକ ମୁକ୍ତ ଗଠନ ପାଇଁ ନିଷ୍ପତ୍ତି ନେଇଥିଲେ ସିନ୍ଦୋଡା ଗ୍ରାମବାସୀ। ବାସ୍ ତାପରେ ଗ୍ରାମବାସୀଙ୍କ ପ୍ରୟାସ ସଫଳ ହୋଇଛି। ଗାଁର ୩୮୫ଟି ଘର ଏବେ ପ୍ଲାଷ୍ଟିକ ମୁକ୍ତ। ପ୍ରଥମେ ପ୍ରଥମେ ଗାଁଲୋକଙ୍କୁ ଏଥିପାଇଁ ନାନା ଅସୁବିଧାର ସମ୍ମୁଖିନ ହେବାକୁ ପଡିଥିଲା। ପରେ ଘରୋଇ ସାମଗ୍ରୀ ଆଣିବା ପାଇଁ ଲୋକେ ପଲଥିନ ବ୍ୟାଗ ପରିବର୍ତ୍ତେ କପଡା ବ୍ୟାଗ ବ୍ୟବହାର କଲେ। ଏପରିକି ଲୋକେ ଯେପରି ପ୍ଲାଷ୍ଟିକ ବ୍ୟବହାର ନ କରିବେ, ସେଥିପାଇଁ ୧୦ ଟି ଟିମ୍ ମଧ୍ୟ ଗଠନ କରାଯାଇଛି ।ଅନ୍ୟପଟେ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଗ୍ରାମପଞ୍ଚାୟତ ଭବନ ନିକଟରେ ଥିବା ଗଛ ଗୁଡିକୁ କପଡା ବ୍ୟାଗରେ ସଜ୍ଜା ଯାଇଛି। ମହାତ୍ମା ଗାନ୍ଧୀ ଯେଉଁ ସ୍ବଚ୍ଛ ଭାରତର ସ୍ବପ୍ନ ଦେଖିଥିଲେ, ବ୍ଲୁ ଭିଲେଜ ଗାନ୍ଧୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ପ୍ରୟାସ ଜାରି ରଖିଛି।