ସାଧାରଣତନ୍ତ୍ର ଦିବସ: ପ୍ୟାରେଡ଼ର ନେତୃତ୍ୱ ନେବେ କ୍ୟାପଟେନ ତାନିଆ ସେରଗିଲ

ନୂଆଦିଲ୍ଲୀ: ଏଥର ସାରା ଦେଶ ଦେଖିବ ମହିଳା ଶକ୍ତିର ଝଲାକ। କାରଣ ଏଥର ସାଧାରଣତନ୍ତ୍ର ଦିବସରେ ଦ୍ଵିତୀୟ ଥର ପାଇଁ ଜଣେ ମହିଳା ସେନା ଅଧିକାରୀ ମିଳିତ ପ୍ୟାରେଡ଼ର ନେତୃତ୍ୱ ନେବାର ଦେଖିବାକୁ ମିଳିବ। କ୍ୟାପଟେନ ତାନିଆ ସେରଗିଲ ପ୍ରଥମ ଥର ପୁରୁଷ ଦଳର ନେତୃତ୍ୱ ନେବେ। ଗତବର୍ଷ ମଧ୍ୟ କ୍ୟାପଟେନ ଭାବନା କସ୍ତୁରୀ ଏହି ଗୌରବ ହାସଲ କରିଥିଲେ।
କ୍ୟାପଟେନ ତାନିଆ ମାର୍ଚ୍ଚ ୨୦୧୭ ମସିହାରେ ଚେନ୍ନାଇ ସ୍ଥିତ ଅଫିସର୍ସ ଟ୍ରେନିଂ ଏକାଡେମୀରୁ ଉତ୍ତୀର୍ଣ୍ଣ ହୋଇଥିଲେ। ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନରେ ବି.ଟେକ ଡିଗ୍ରୀ ହାସଲ କରିଥିବା ତାନିଆଙ୍କ ବାପା, ଜେଜେବାପା ସେନାରେ ଥିବାବେଳେ ତାନିଆ ମଧ୍ୟ ପାଠ ପଢା ସରିବା ପରେ ସେନାରେ ଯୋଗ ଦେଇଥିଲେ। ପରେଡ ସହାୟକ ଭାବେ ତାନିଆଙ୍କୁ ଏଥର ଦାୟିତ୍ୱ ମିଳିଥିବାବେଳେ ତାଙ୍କ ଉପରେ ପ୍ୟାରେଡ଼ର ସବୁ ଦାୟିତ୍ୱ ରହିବ।
ଦିଲ୍ଲୀରେ ଏବେ ପ୍ୟାରେଡ଼ ପାଇଁ ରିହରସଲ ଆରମ୍ଭ ହୋଇଯାଇଛି। ପ୍ୟାରେଡ଼ ମାଧ୍ୟମରେ ଭାରତ ଦୁନିଆକୁ ନିଜର ପରାକ୍ରମ ଦେଖାଇଥାଏ। ପ୍ୟାରେଡ଼ରେ ଭାରତର ଶକ୍ତିଶାଳୀ ସେନା ସହ ଵିଧ୍ଵଂସକାରୀ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ପ୍ରଦର୍ଶିତ କରାଯାଇଥାଏ। ଏଠାରେ ସୂଚନା ଥାଉ କି ଏଥର ପ୍ୟାରେଡ଼ରେ ବାୟୁସେନା ପକ୍ଷରୁ ୧୪୮ ଜଣ ସଦସ୍ୟ ଅଂଶଗ୍ରହଣ କରିବେ।