ପ୍ରବାସୀ ଶ୍ରମିକଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ସହାୟତା ନିମନ୍ତେ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେଉଁ ଶ୍ରମିକମାନେ କାମ କରିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି ସେମାନଙ୍କୁ ଚିହ୍ନଟ କରି କାମ ଯୋଗାଇବା ସହ ସେମାନଙ୍କ ପରିବାରର ଆର୍ଥିକ ସ୍ବଚ୍ଛଳତା ପାଇଁ ସରକାର ପ୍ୟାକେଜ୍ ଘୋଷଣା କରିଛନ୍ତି।
ଶ୍ରମିକ ପ୍ରବଣ ୪ ଜିଲ୍ଲା ବରଗଡ, ନୂଆପଡା, କଳାହାଣ୍ଡି, ବଲାଙ୍ଗୀରର ୨୦ ବ୍ଲକରେ ନରେଗା ମଜୁରି ବୃଦ୍ଧି କରାଯାଇଛି। ଦୈନିକ ମଜୁରୀ ୨୮୬. ୮୬ ଟଙ୍କାକୁ ବୃଦ୍ଧି ହୋଇଛି। ସେହିପରି ନରେଗାରେ ୧୦୦ ଦିନ ବଦଳରେ ଏଣିକି ୨୦୦ ଦିନ କାମ ମିଳିବ। ୪ ଜିଲ୍ଲାର ୨୦ ବ୍ଲକର ପ୍ରତି ପରିବାର ମହିଳାଙ୍କୁ ଏସଏଚଜିରେ ଯୋଡ଼ିବାକୁ ନିଷ୍ପତ୍ତି ହୋଇଛି।
ପ୍ରବାସୀ ଶ୍ରମିକଙ୍କ ପାଇଁ ବ୍ୟାଙ୍କିଂ ସୁବିଧା ସହ ୧୮ରୁ ୩୫ ବର୍ଷ ଭିତରେ ଯୋଗ୍ୟ ଯୁବକ ଯୁବତୀଙ୍କୁ ଧନ୍ଦାମୂଳକ ତାଲିମ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାସହ ଏହି ୨୦ ବ୍ଲକର ଯୋଗ୍ୟ ପରିବାରକୁ ପକ୍କା ଘର ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ନବୀନ।