Odisha Link
Bridging the Missing Links in Odisha

ପରବିନ୍ଦରଙ୍କ ଘରକୁ ଅନ୍ଧାରି ବିଜେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରର ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ଶିଖ ବ୍ୟକ୍ତି ପରବିନ୍ଦରଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣାରେ ଏକ ନୂଆ ଟ୍ୱିଷ୍ଟ ଆସିଛି। ପରବିନ୍ଦରଙ୍କ ପତ୍ନୀ କମଲଜିତ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଗତକାଲି ରାତିରେ ୩/୪ଜଣ ଲୋକ ତାଙ୍କ ଘରକୁ ଆସିଥିଲେ। ରାତି ପ୍ରାୟ ଗୋଟାଏ ବେଳେ କିଛି ଲୋକ ଘରକୁ ଆସି ବେଲ ମାରିଲେ। ବେଲ ମାରିବା ପରେ ଜୋରରେ କବାଟ ବାଡେ଼ଇଥିଲେ, ତେବେ ମୁଁ ଖୋଲିଲିନି। ବହୁ ସମୟ କବାଟ ବାଡେ଼ଇବା ପରେ ନଖୋଲିବାରୁ ସେମାନେ ପଳାଇଲେ। ମୁଁ ସେ ଲୋକମାନଙ୍କୁ ଦେଖିଛି। କିନ୍ତୁ କାହାକୁ ଚିହ୍ନିନି। ଆଜି ସକାଳେ ସେମାନେ ପୁଣି ଆମ ଘରକୁ ଆସିଥିଲେ। ଆସିଥିବା ଲୋକମାନେ କହିଲେ ଡରନି, ଆମେ ତୁମ ସହ ଅଛୁ ବୋଲି ପରବିନ୍ଦରଙ୍କ ପତ୍ନୀ କମଲଜିତ କହିଛନ୍ତି।
ତେବେ ପରବିନ୍ଦରଙ୍କ ଘରକୁ କେଉଁମାନେ ଆସିଥିଲେ ତାହାର ସିସିଟିଭି ଭିଜୁଆଲ ହସ୍ତଗତ ହୋଇଛି। ଭିଜୁଆଲରେ ଭୁବନେଶ୍ୱରମଧ୍ୟ ବିଧାୟକ ଅନନ୍ତନାରାୟଣ ଜେନା ଓ ପୁଲିସ ଡିଏସପି ଅନୁପ କାନୁନଗୋ ଆସିଥିବା ଦେଖାଯାଉଛନ୍ତି। ତେବେ ଏବେ କମିଶନରେଟ ପୁଲିସରେ ଅନୁପ କାନୁନଗୋ ନାହାନ୍ତି। କମିଶନରେଟରେ ନଥାଇ ବି ସେ କାହିଁକି ଆସିଥିଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଧାୟକ ଦିନରେ ନଆସି ରାତି ଅଧରେ କାହିଁକି ଆସିଥିଲେ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ତେବେ ଏନେଇ ଉଭୟ ବିଧାୟକ ଅନନ୍ତନାରାୟଣ ଜେନା ଓ ପୁଲିସ ଡିଏସପି ଅନୁପ କାନୁନଗୋଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Comments are closed.