ଫାଶି ପୂର୍ବରୁ ପଚରାଗଲା ଶେଷ ଇଚ୍ଛା
ନୂଆଦିଲ୍ଲୀ: ଆସନ୍ତା ଫେବୃୟାରୀ ୧ ତାରିଖ ସକଳା ୬ଟାରେରେ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଫାଶୀ ଦିଆଯିବ। ଫାଶୀ ଖୁଣ୍ଟରେ ଝୁଲିବେ ୪ ଦୋଷୀ ଅକ୍ଷୟ, ବିନୟ, ମୁକେଶ ଏବଂ ପବନ। ଏନେଇ କୋର୍ଟଙ୍କ ପକ୍ଷରୁ ଡେଥ୍ ୱାରେଣ୍ଟ ଜାରି ହୋଇସାରିଛି। ତେଣୁ ତିହାର ଜେଲରେ ଫାଶୀ ପୂର୍ବରୁ ରହିଥିବା ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଜେଲ ପ୍ରଶାସନ ପକ୍ଷରୁ ଦୋଷୀମାନଙ୍କୁ ୪ ଦୋଷୀଙ୍କୁ ସେମାନଙ୍କ ଶେଷ ଇଚ୍ଛା ପଚରାଯାଇଛି।
ଜେଲ ପ୍ରଶାସନ ପକ୍ଷରୁ ନୋଟିସ ପଠାଯାଇ ୪ ଦୋଷୀଙ୍କୁ ସେମାନଙ୍କ ଶେଷ ଇଚ୍ଛା ସମ୍ପର୍କରେ ପଚରାଯାଇଥିଲା। ନୋଟିସରେ ପଚରାଯାଇଛି ଯେ, ଫେବୃୟାରୀ ୧ରେ ଫାଶୀ ପୂର୍ବରୁ ସେମାନେ ଶେଷ ଥର ପାଇଁ କାହାକୁ ଭେଟିବାକୁ ଚାହୁଁଛନ୍ତି ? ଯଦି ସେମାନଙ୍କ ନାମରେ କୌଣସି ସମ୍ପତ୍ତି ରହିଛି, ତେବେ ଫାଶୀ ପୂର୍ବରୁ ସେଗୁଡ଼ିକୁ ସେମାନେ କାହା ନାମରେ କରିବାକୁ ଚାହୁଁଛନ୍ତି ? ଯଦି କୌଣସି ଧାର୍ମିକ ପୁସ୍ତକ ପଢ଼ିବାକୁ ଇଚ୍ଛା କରୁଛନ୍ତି, ତେବେ ଜେଲ ପ୍ରଶାସନ ଏଥିରେ ସେମାନଙ୍କ ସହାୟତା କରିପାରିବ। ତେବେ ଦୋଷୀମାନେ ଏହାର କ’ଣ ଜବାବ ଦେଇଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।
ଫାଶୀ ପୂର୍ବରୁ ୪ ଦୋଷୀ ବିଚଳିତ ଅବସ୍ଥାରେ ଅଛନ୍ତି। ଫାଶୀ ଭୟରେ ବିନୟ ଖାଦ୍ୟ ଗ୍ରହଣ କରୁନାହିଁ। ସେ ଦୁଇଦିନ ଖାଦ୍ୟ ନ ଖାଇବାରୁ ବୁଧବାର ତା’କୁ ବାରମ୍ବାର ଖାଦ୍ୟ ଦିଆଯାଇଥିଲା। ଅନ୍ୟପଟେ ଦୁଇ ଦୋଷୀ ମୁକେଶ ଏବଂ ଅକ୍ଷୟଠାରେ ଫାଶୀର ଭୟ ଦେଖିବାକୁ ମିଳିନାହିଁ। ତେବେ ପବନର ଖାଦ୍ୟ ପରିମାଣ କିଛିଟା ହ୍ରାସ ପାଇଛି।
Comments are closed.