ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୨୦ ଛୁଇଁଲା, ୨୦୦ରୁ ଉର୍ଦ୍ଧ ଆହତ

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଥମିବାର ନାଁ ଧରୁନାହିଁ। ଗତ କାଲି ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୦କୁ ପହଞ୍ଚିଛି। ଦିଲ୍ଲୀରେ ହିଂସାକାଣ୍ଡକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଦଙ୍ଗା ସୃଷ୍ଟିକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ ଏହି ହିଂସାକାଣ୍ଡରେ ୫୬ ଜଣ ପୋଲିସ କର୍ମଚାରୀଙ୍କ ସହ ପ୍ରାୟ ୨୦୦ରୁ ଅଧିକ ସାଧାରଣ ଜନତା ଆହତ ହୋଇଛନ୍ତି।
ଗତକାଲି ନାଗରିକତା ସଂଶୋଧନ ଆଇନ ସମ୍ପର୍କିତ ହିଂସାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ରାତିଅଧିଆ ଶୁଣାଣି ଜାରି କରିଛନ୍ତି । ବିଚାରପତି ଏସ୍. ମୁରଲୀଧରଙ୍କ ବାସଭବନରେ ବିଳମ୍ବିତ ରାତିରେ ଏହି ଶୁଣାଣି କରିଛନ୍ତି। ଉତ୍ତର ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ନେଇ ଦିଲ୍ଲୀ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି କୋର୍ଟ। ଏହା ସହ ହିଂସା ବେଳେ ଆହତଙ୍କୁ ଜରୁରୀ ଚିକିତ୍ସା ଯୋଗାଇ ଦେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ହିଂସା ବେଳେ ଆହତ ମାନେ ଚିକିତ୍ସା ପାଇଁ ମୁସ୍ତାଫାବାଦରୁ ଜିଟିବି ହସ୍ପିଟାଲକୁ ଯାଇ ପାରୁନଥିବା ଦର୍ଶାଇ ଆଇନଜୀବୀ ସରୁର ମଣ୍ଡେର ହାଇକୋର୍ଟରେ ଆବେଦନ କରିଥିଲେ। ଏନେଇ ଆଜି ମଧ୍ୟ ଶୁଣାଣି ହେବ।