କରୋନା ଆତଙ୍କ: ବନ୍ଦ ହେଲା ଶିରିଡ଼ି ସାଇ ବାବାଙ୍କ ମନ୍ଦିର

ମୁମ୍ବାଇ: ଆଜି ମହାରାଷ୍ଟ୍ରରେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷେ କରୋନା ଭାଇରସର ପ୍ରଭାବ ଏବେ ପ୍ରସିଦ୍ଧ ଶିରିଡ଼ି ସାଇ ବାବାଙ୍କ ମନ୍ଦିର ଉପରେ ପଡ଼ିଛି। କରୋନା ଭାଇରସକୁ ଦୃଷ୍ଟିରେ ରଖି ସାଇ ବାବଙ୍କ ମନ୍ଦିରକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ଶ୍ରୀ ସାଇ ବାବା ସଂସ୍ଥାନ ଟ୍ରଷ୍ଟ ଏଭଳି ନିଷ୍ପତ୍ତି ନେଇଛି।
କେବଳ ମନ୍ଦିର ନୁହେଁ ବରଂ ସମଗ୍ର ଶିରିଡ଼ି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ ରହିବ। ଟ୍ରଷ୍ଟର ଘୋଷଣା ଅନୁଯାୟୀ, ଆଜି ଅପରାହ୍ନ ୩ରୁ ମନ୍ଦିରରେ ସାଇ ବାବାଙ୍କ ଦର୍ଶନ ଲୋକଙ୍କ ପାଇଁ ବନ୍ଦ କରାଯାଇଛି। ବାବାଙ୍କ ଶେଷ ପ୍ରସାଦ ରାତି ୧୦ଟାରେ ମିଳିବ। ସୂଚନାଯୋଗ୍ୟ,ଗୋଟିଏ ସ୍ଥାନରେ ଲୋକଙ୍କ ଏକାଠି ହେବାକୁ ସରକାର ବାରଣ କରିଛନ୍ତି।
ଗତକାଲି ସିଦ୍ଧି ବିନାୟକ ମନ୍ଦିର ମଧ୍ୟ ପରବର୍ତ୍ତୀ ନିଷ୍ପତ୍ତି ଯାଏ ବନ୍ଦ ରହିବ ବୋଲି ଘୋଷଣା ହୋଇଥିଲା। ମହାରାଷ୍ଟ୍ରରେ ଏଯାଏ ୩୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଜଣେ କରୋନା ଆକ୍ରାନ୍ତ ମୁମ୍ବାଇରେ ପ୍ରାଣ ହରାଇଛନ୍ତି।