Odisha Link
Bridging the Missing Links in Odisha

MSME ପାଇଁ ୩ ଲକ୍ଷ କୋଟିର ଋଣ

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ଦେଶର ଅର୍ଥନୀତି ମାନ୍ଦାବସ୍ଥା ମଧ୍ୟରେ ଗତି କରୁଥିବାବେଳେ ଏଥିରେ ସୁଧାର ଆଣିବା ଲାଗି ଗତକାଲି ପ୍ରଧାମନ୍ତ୍ରୀ ଆତ୍ମନିର୍ଭର ଅଭିଯାନର ଘୋଷଣା କରିଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ଏନେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଉଛନ୍ତି।

MSME ପାଇଁ ୩ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ସେ କହିଛନ୍ତି ଯେ କୁଟୀର ଓ ଲଘୁ ଉଦ୍ୟୋଗ ପାଇଁ ୬ଟି ପଦକ୍ଷେପ ନିଆଯାଇଛି। ଏମଏସଏମଇକୁ ବିନା ଗ୍ୟାରେଣ୍ଟିରେ ୩ଲକ୍ଷ କୋଟିର ଋଣ ଦିଆଯିବ। ଏମଏସଏମଇ ଗୋଟିଏ ବର୍ଷ ପର୍ଯ୍ୟନ୍ତ କିସ୍ତି ଦେବାରୁ ରିହାତି ଦିଆଯିବ। ଏହି ପଦକ୍ଷେପରୁ ୪୫ଲକ୍ଷ ଏମଏସଇକୁ ଲାଭ ମିଳିବ। ସଙ୍କଟରେ ଥିବା ଏମଏସଇକୁ ୨୦ହଜାର କୋଟି ମିଳିବ। ୨ଲକ୍ଷ ଏମଏସଏମଇକୁ ୨୦ହଜାର କୋଟିରୁ ଲାଭ ମିଳିବ। ଏମ,ସଏମଇକୁ ବିସ୍ତାର କରିବା ପାଇଁ ୫୦ହଜାର କୋଟି ମିଳିବ। ଏମଏସଏମଇ ପାଇଁ ୧୦ହଜାର କୋଟିର ଫଣ୍ଡସ୍ ଅଫ୍ ଫଣ୍ଡ ହୋଇଛି। ଏହାସହ ଏମଏସଏମଇ ପରିଭାଷାରେ ପରିବର୍ତ୍ତନ କରାଯାଇଛି।

ଉଦ୍ୟୋଗୀ ଓ କର୍ମଚାରୀଙ୍କୁ ୩ ମାସ ପର୍ଯ୍ୟନ୍ତ ୨୫ ଶହ କୋଟିର ଇପିଏଫ ସହାୟତା ।ବ୍ୟବସାୟୀ ଓ ଶ୍ରମିକଙ୍କ ପାଇଁ ଇପିଏଫ ଅଂଶ ୬୭୫୦ କୋଟି ଟଙ୍କା ହ୍ରାସ କରାଯିବ। ଏନବିଏଫସି ପାଇଁ ୪୫ ହଜାର କୋଟିର ଆଂଶିକ କ୍ରେଡ଼ିଟ ଗ୍ୟାରେଣ୍ଟି। ଏନବିଏଫସି ଓ ଏମଏଫଆଇଗୁଡ଼ିକୁ ୩୦ ହଜାର କୋଟିର ଲିକ୍ୱୁଡ଼ିଟି ସୁବିଧା ଅଛି ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।

ସେହିପରି ୧୫ ହଜାରରୁ କମ୍‌ ଦରମା ପାଉଥିବା କର୍ମଚାରୀଙ୍କୁ ସରକାରୀ ସହାୟତା ମିଳିବ। ୨୪ ପ୍ରତିଶତ ଦରମା ପିଏଫ୍‌ରେ ଜମା କରାଯିବ। ଏମ୍‌ଏସ୍‌ଏମ୍‌ଇ ପାଇଁ ୧୦ ହଜାର କୋଟିର ଫଣ୍ଡସ୍‌ ଅଫ୍‌ ଫଣ୍ଡ୍‌ ଘୋଷଣା କରାଯାଇଛି। ସେହିପରି ଏହି କ୍ଷେତ୍ରରେ କାରବାର ବିସ୍ତାର ପାଇଁ ୫୦ ହଜାର କୋଟିର ପ୍ୟାକେଜ ଦେବାକୁ ସରକାର ଯୋଜନା କରିଛନ୍ତି। ସମ୍ମିଳନୀରେ ଅର୍ଥମନ୍ତ୍ରୀ ସୂଚନା ଦେଇଥିଲେ ଯେ, କରୋନା ସଙ୍କଟ ସମୟରେ ୮ କୋଟି ପରିବାରକୁ ୩ ମାସ ପର୍ଯ୍ୟନ୍ତ ଗ୍ୟାସ୍‌ ସିଲଣ୍ଡର ଯୋଗାଇ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯିବାର କିଛି ଘଣ୍ଟା ମଧ୍ୟରେ ଗରିବଙ୍କ ପାଇଁ ୪୧ କୋଟିର ସହାୟତା ପ୍ୟାକେଜ୍‌ ସିଧାସଳଖ ସେମାନଙ୍କ ସଞ୍ଚୟ ଖାତାକୁ ଯୋଗାଇ ଦିଆଯାଇଛି। ସେହିପରି ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଥିବା ସେ କହିଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଆତ୍ମନିର୍ଭରଶୀଳ ଭାରତ ଗଠନରେ ପ୍ରଧାନମନ୍ତ୍ରୀ ରୂପରେଖ ରଖିଛନ୍ତି। ଗତକାଲିର ଭାଷଣରେ ପ୍ରଧାନମନ୍ତ୍ରୀ ନୂଆ ଦିଗ ଦେଖାଇଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଆତ୍ମନିର୍ଭଶୀଳ ହେବାକୁ ପ୍ରଧାନମନ୍ତ୍ରୀ ୫ଟି ସୋପାନ କଥା କହିଛନ୍ତି। ନୂଆ ଭାରତ ନିର୍ମାଣ ପାଇଁ ପ୍ରୟାସ କରାଯାଉଛି ବୋଲି ସୀତାରମଣ କହିଛନ୍ତି।

ଏଥିସହିତ ସେ କହିଛନ୍ତି ଯେ, ସ୍ବଦେଶୀ ଜିନିଷର ବ୍ରାଣ୍ଡିଂକୁ ସାରା ବିଶ୍ବରେ ପରିଚିତ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଅର୍ଥନୀତିକୁ ମଜଭୁତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାୁଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Comments are closed.