Odisha Link
Bridging the Missing Links in Odisha

ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳା ପାଇଁ ଶିଶୁପୁତ୍ରର ଚାଲିଗଲା ଜୀବନ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବେତନଟୀ ଉପକଣ୍ଠ ଆମ୍ବଯୋଡା ଗ୍ରାମର ନିଶାରଞ୍ଜନ ବେହେରା ଏବଂ ଗୀତା ବେହେରାଙ୍କ ବର୍ଷକର ଶିଶୁପୁତ୍ର ଜୀତ୍‌ ଅସୁସ୍ଥ ହେବାରୁ ତାଙ୍କୁ ରବିବାର ବେତନଟୀ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ସେଠାରୁ ତାଙ୍କୁ ବାରିପଦା ପିଆରଏମ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର ପାଇଁ ସୋମବାର ଅପରାହ୍ନରେ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ୧୦୮ ଆମ୍ବୁଲାନ୍ସ (ଓଡି-୦୨ବିଏଚ-୧୨୫୨) ଯୋଗେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଉଥିଲା ।
ତେବେ ମୃତ ଶିଶୁପୁତ୍ରଙ୍କ ମା’ ଗୀତା ବେହେରାଙ୍କ ଅଭିଯୋଗ ଅନୁସାରେ ବାରିପଦା ସହରରୁ ବାହାରିବା ପରେ ମଞ୍ଚାବନ୍ଧା ସ୍ଥିତ ଏକ ଢାବାରେ ଗାଡି ରଖି ଚାଳକ ଏବଂ ଫାର୍ମାସିଷ୍ଟ ଖାଇବାକୁ ଯାଇଥିଲେ । ତେବେ ଦେଢଘଣ୍ଟା ପରେ ମଧ୍ୟ ସେମାନେ ଢାବାରୁ ଫେରିନଥିଲେ। ଶିଶୁପୁତ୍ରର ସ୍ବାସ୍ଥ୍ୟାବସ୍ଥା ଆହୁରି ଶୋଚନୀୟ ହୋଇପଡିଥିଲା । ଶିଶୁପୁତ୍ରର ସ୍ବାସ୍ଥ୍ୟାବସ୍ଥା ଦେଖି ଶିଶୁର ମା ଢାବାକୁ ଯାଇ ସେମାନଙ୍କୁ ଡାକିଥିଲେ । ମାତ୍ର ଆମ୍ବୁଲାନ୍ସ କର୍ମଚାରୀ ଦୁଇଜଣ ‘ବ୍ୟସ୍ତ ହୁଅନାହିଁ ଆମେ ଡାକ୍ତର ଆମେ ଜାଣିଛୁ ପିଲାର କଣ ହେବ କଣ ନାହିଁ ଆମକୁ ଭଲଭାବେ ଜଣା ବୋଲି କହିଥିଲେ ବୋଲି ଅଭିଯୋଗ ହୋଇଛି ।
ଶେଷରେ ଦୀର୍ଘସମୟ ଢାବାରେ ରହି ବାହାରିବା ପରେ ରାସ୍ତାରେ ଶିଶୁ ପୁତ୍ର ନିସ୍ତେଜ ହୋଇପଡିଥିଲା । ଏହାଦେଖି ବିଚଳିତ ମା’ ଶିଶୁ ସମ୍ପୂର୍ଣ୍ଣ ନିସ୍ତେଜ ଏବଂ ଚେତାଶୂନ୍ୟ ହୋଇଯାଇଥିବା ନେଇ ଜଣାଇବାପରେ ଆମ୍ବୁଲାନ୍ସ ୧୮ନଂ ଜାତୀୟ ରାଜପଥ ପାର୍ଶ୍ବ ରେ ଥିବା କୃଷ୍ଣଚନ୍ଦ୍ରପୁର ଡାକ୍ତରଖାନାରେ ଅଟକିଥିଲା । ସେଠାରେ କାର୍ଯ୍ୟରତ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ । ଏହାପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶିଶୁପୁତ୍ର ମୃତ୍ୟୁ ଖବର ପାଇ ଆମ୍ବୁଲାନ୍ସ ଚାଳକ ଏବଂ ଫାର୍ମାସିଷ୍ଟ ଦ୍ବୟ ଘଟଣାସ୍ଥଳରୁ ଗାଡି ଛାଡି ଫେରାର ହୋଇଯାଇଥିଲେ ।
ଖବରପାଇ ବେତନଟୀ ଥାନା ଏସଆଇ ବେଦପ୍ରକାଶ ନନ୍ଦ, କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଏଏସଆଇ ଚନ୍ଦ୍ରକାନ୍ତ ରଣଜିତ ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଜନସାଧାରଣଙ୍କୁ ବୁଝାସୁଝା କରିଥିଲେ । ଏନେଇ ଆମ୍ବୁଲାନ୍ସ କର୍ମଚାରୀଙ୍କ ଚରମ ଅବହେଳାରୁ ଶିଶୁପୁତ୍ରର ମୃତ୍ୟୁକୁ ନେଇ ମୃତକଙ୍କ ମା’ ଗୀତା ବେହେରାଙ୍କ ଲିଖିତ ଅଭିଯୋଗ କ୍ରମେ ବେତନଟୀ ଥାନାରେ ୧୭୬/୨୦୨୦ ଦଫା ୩୦୪(ଏ)/୩୪ଆଇପିସି ମୂଳେ ଏକ ମାମଲା ରୁଜୁ କରାଯାଇଛି । ତେବେ ପୋଲିସ୍ ଉକ୍ତ ଆମ୍ବୁଲାନ୍ସକୁ ସିଜ୍‌ କରିଛି ।

Comments are closed.